ବାଲେଶ୍ଵର : ଗୁଜୁରାଟ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଲେ ଦେବଯାନୀ ଦାସ
ବାଲେଶ୍ଵର : ସାହିତ୍ୟ ଏକାଡେମୀ ପୁରସ୍କାର ପାଇଲେ ବାଲେଶ୍ଵର ଜିଲାର ଦେବଯାନୀ ଦାସ । ସାହିତ୍ୟରେ ଭାଷା ଦକ୍ଷତା, ଉଲ୍ଲେଖ ଶୈଳୀ, ସୃଜନଶୀଳତା ଓ ବିଶ୍ଵ ସାହିତ୍ୟ ପ୍ରତି ତାଙ୍କର ଅବଦାନ ପାଇଁ ଏହି ପୁରସ୍କାର ପ୍ରାପ୍ତ କରିଛନ୍ତି । ସେ ଜଣେ ପରିବେଶବିତ୍ ତଥା ଟିଭି ଓ ରେଡିଓ କଳାକାର ମଧ୍ୟ। ଏନେଇ ଗୁଜୁରାଟ ସାହିତ୍ୟ ଆକାଡେମୀର ନିର୍ଦ୍ଦେଶକ ଡ. ବିଷ୍ଣୁ ପାଣ୍ଡ୍ୟା କହିଛନ୍ତି ଯେ, ଦେବଯାନୀଙ୍କ ଭାଷା ସାହିତ୍ୟରେ ଅବଦାନ ଓ ଦକ୍ଷତା ଅତୁଳନୀୟ ।ଏହା ନିସନ୍ଦେହରେ କୁହାଯାଇ ପାରେ ଯେ, ସେ ଜଣେ ଦକ୍ଷ ଲେଖିକା ବୋଲି ଡ. ପାଣ୍ଡ୍ୟା କହିଛନ୍ତି।
ସାହିତ୍ୟରେ ଦେବଯାନୀ ଦାସଙ୍କର ବହୁ ଅବଦାନ ରହିଛି । ସେ ବିଭିନ୍ନ ପ୍ରସଙ୍ଗ ଯଥା, ଇତିହାସ, ବିଜ୍ଞାନ, ଆଧ୍ୟାତ୍ମିକ ଉପରେ ଅନେକ ବହି ଲେଖିଛନ୍ତି । ଏତତ୍ ବ୍ୟତୀତ ଉପନ୍ୟାସ, କବିତା, ଗଳ୍ପ, ଅନୁବାଦ, ସ୍ତମ୍ଭ ଲେଖିବାରେ ମଧ୍ୟ ତାଙ୍କର ଦକ୍ଷତା ରହିଛି । ଆହୁରି ମଧ୍ୟ ବିଭିନ୍ନ ବିଷୟ ବସ୍ତୁ ଉପରେ ସେ ଓଡିଆ, ଇଂରାଜୀ ଓ ହିନ୍ଦୀରେ ନିଜର ମତ ଦେଇଥାନ୍ତି । ବିଭିନ୍ନ ଗଛର ଔଷଧିୟ ଗୁଣ ବାବଦରେ ଲେଖି ସେ ନିଜ ଲେଖନୀକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି । ଯେଉଁ ଛାତ୍ରଛାତ୍ରୀମାନେ ଭାଷା ଉପରେ ଅଧ୍ୟୟନ କରନ୍ତି ସେମାନେ ନିଜର ଥେସିସ୍ ପେପରେ ଦେବଯାନୀଙ୍କ ବିଷୟ ବସ୍ତୁକୁ ଉଦାହରଣ ଭାବେ ନେଇଥାନ୍ତି ।
