୨୯ରୁ ପଶ୍ଚିମ ଦ୍ଵାର ଦେଇ ଶ୍ରୀମନ୍ଦିର ଯାଇପାରିବେ ଭକ୍ତ
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୨୩୭ କୋଟି ଟଙ୍କାର ବଜେଟ ଅନୁମୋଦନ
ପୁରୀ : ଭକ୍ତଙ୍କ ପାଇଁ କୁସିଂ ଖବର । ଆସନ୍ତା ୨୯ ତାରିଖରୁ ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯାଇପାରିବେ ଭକ୍ତ। ସିଂହଦ୍ୱାର ଆଗରେ ଲଗାଯାଇଥିବା ସମସ୍ତ ଅସ୍ଥାୟୀ ସେଡ୍ ଖୋଲାଯାଇ ପଶ୍ଚିମଦ୍ୱାର ବାହାରେ ଲଗାଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି।
ଶ୍ରୀମନ୍ଦିର ବଜେଟ ପାଇଁ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟତଃ ୨୦୨୨-୨୩ ବର୍ଷ ପାଇଁ ଶ୍ରୀମନ୍ଦିର ଆୟବ୍ୟୟ ଅଟକଳ (ବଜେଟ) ସଂପର୍କରେ ଆଲୋଚନା ହୋଇଥିଲା । ପ୍ରାୟ ୨୩୭ କୋଟି ୫୮ ଲକ୍ଷ ଟଙ୍କାର ବଜେଟ ଅନୁମୋଦନ ହୋଇ ଆଇନ ବିଭାଗକୁ ପଠାଯିବା ପାଇଁ ଆଲୋଚନା ହୋଇଥିଲା । ଏଥିରେ ୧୨୬ କୋଟି ୭୩ ଲକ୍ଷ ଟଙ୍କା ଆୟ ରହିଛି। ଜମା ପୁଞ୍ଜିରୁ ମୋଟ ୧୧୦ କୋଟି ୮୫ ଲକ୍ଷ ଟଙ୍କା ଆୟ ହୋଇଛି। ୩୩ କୋଟି ୬୨ ଲକ୍ଷ ଟଙ୍କା ବଳକା ବଜେଟ ପ୍ରସ୍ତୁତ କରାଯାଇଛି। ତେବେ ଏହା ପୂର୍ଣ୍ଣାଙ୍ଗ ହୋଇପାରି ନ ଥିବାରୁ ଆସନ୍ତା ୨୫ ତାରିଖରେ ବଜେଟ୍ ବୈଠକ ବସିବ। ଆଲୋଚନା ପରେ ବିସ୍ତୃତ ବିବରଣୀ ଦିଆଯିବ ବୋଲି ପୁରୀ ଜିଲାପାଳ ତଥା ଶ୍ରୀମନ୍ଦିର ଉପପ୍ରଶାସକ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଏହାସହ ଶ୍ରୀମନ୍ଦିର ସୁରକ୍ଷା, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଗୁରୁକୂଳ ଶିକ୍ଷାକେନ୍ଦ୍ର, ସେବାୟତ କଲ୍ୟାଣ ସଂପର୍କରେ ଆଲୋଚନା ହୋଇଥିଲା । ଏହାସହ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ସେହିପରି ଚନ୍ଦନଯାତ୍ରା, ଅକ୍ଷୟତୃତୀୟା ନୀତି, ରଥ ନିର୍ମାଣ ଅନୁକୂଳ ସଂପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲଲାପାଳ ସମର୍ଥ ବର୍ମା, ଏସପି କେ. ବିଶାଲ ସିଂହ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
