ବିଚାରଧୀନ କଏଦୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ମେଡ଼ିକାଲରେ ଭର୍ତ୍ତି
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଉପ-କାରାଗାରରେ ଥିବା ଜନୈକ ବିଚାରାଧୀନ କଏଦୀର ସ୍ୱାସ୍ଥ୍ୟବସ୍ଥା ସଙ୍ଗୀନ ହୋଇ ପଡ଼ିବାରୁ ଜେଲ୍ କର୍ମଚାରୀମାନେ ସଙ୍ଗେ ସଙ୍ଗେ ନୀଳଗିରି ମେଡ଼ିକାଲୋର ଭର୍ତ୍ତି କରାଇଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାକୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଅଛି ।
ସୂଚନା ଅନୁସାରେ ନୀଳଗିରି ଥାନା ଅଧିନସ୍ଥ ସନ୍ତରାଗଡ଼ିଆ ଅଞ୍ଚଳର ଜଗଦିଶ ପାଣିଗ୍ରାହୀ (୩୦) ଚୋରା ମଦ ବିକ୍ରି କରୁଥିବା ବେଳେ ନୀଳଗିରି ଅବକାରୀ ବିଭାଗ ତାଙ୍କ ଠାରୁ ୩୦ଲିଟର ଦେଶୀ ମଦ ଜବତ ସହ ଗିରଫ କରି ମାମଲା (ନଂ. ୫୧/୨୨) ରୁଜୁ କରିଥିଲା । ଗତ ବୁଧବାର ୫ଟା ସମୟରେ ଡାକ୍ତରୀ ପରୀକ୍ଷା କରାଯାଇ କୋର୍ଟରେ ହାଜର କରାଯିବା ପରେ ଜାମିନ ନାମାଞ୍ଜୁର ହେବାରୁ ନୀଳଗିରି ଜେଲ ହାଜତକୁ ପଠାଇ ଦିଆଯାଇଥିଲା । ଗୁରୁବାର ଅପରାହ୍ନ ପ୍ରାୟ ୫ଟା ସମୟରେ ଜଗଦିଶ ଜେଲରେ ରହିଥିବା ବେଳେ ହଠାତ୍ ଛାଟିପିଟି ହୋଇ ତଳେ ପଡ଼ିଯାଇଥିଲେ । ସଙ୍ଗେ ସଙ୍ଗେ ଜେଲରେ ଥିବା ଫର୍ମାସିଷ୍ଟ ପ୍ରାଥମିକ ଚିକିତ୍ସା କରାଇ ନୀଳଗିରି ମେଡ଼ିକାଲକୁ ଆଣି ଭର୍ତ୍ତି କରିଥିଲେ । ତାଙ୍କର ନିଶ୍ୱାସ ନେବାରେ କଷ୍ଟ ହେଉଥିବାରୁ ଅକ୍ସିଜେନ୍ ଲଗାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଡାକ୍ତର ସଙ୍ଗେ ସଙ୍ଗେ ଜିଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରିଥିଲେ । ଏ ନେଇ ଜେଲ ସୁପରିନ୍ଟେଣ୍ଡେଣ୍ଟ ଦିପ୍ତୀମୟୀ ରାଉତଙ୍କୁ ପଚାରିବାରୁ ତାଙ୍କର ବାତ ଥିବା ସୂଚନା ଦେଇଛନ୍ତି ।
