ପ୍ରବଳ ହଟ୍ଟଗୋଳ ସତ୍ତ୍ୱେ ବିଧାନସଭାରେ ୭ଟି ବିଲ୍ ଉପସ୍ଥାପିତ
ଭୁୁବନେଶ୍ୱର : ଓଡିଶା ବିଧାନସଭାର ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଅଧିବେଶନରେ ଯୋଡି ହୋଇଛନ୍ତି । ବୁଧବାର ପ୍ରଥମ ଦିନରେ ଗୃହରେ ଦିବଙ୍ଗତ ମନ୍ତ୍ରୀ, ବିଧାୟକ ଓ ବଳିଦାନ ଦେଇଥିବା ଯବାନ ଏବଂ ରାଜ୍ୟବାସୀଙ୍କ ସେବାରେ ନିୟୋଜିତ ହୋଇ ପ୍ରାଣବଳୀ ଦେଇଥିବା ସମସ୍ତ କରୋନା ଯୋଦ୍ଧାଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରି ଶୋକ ପ୍ରସ୍ତାବ ଗୃହୀତ କରା ଯାଇଛି । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ସୁର୍ଯ୍ୟ ନାରାୟଣ ପାତ୍ର ଶୋକ ପ୍ରସ୍ତାବ ଆଣିବାକୁ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କହିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, କାର୍ତିକ ପ୍ରସାଦ ତରିଆ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ବିବେକାନନ୍ଦ ମେହେର, ପୂୂର୍ବତନ ବିଧାୟକ ଅରୁଣ ଦେ, ଚନ୍ଦ୍ରମା ସାନ୍ତା, ଉମାକାନ୍ତ ମିଶ୍ର, ବିକ୍ରମ କେଶରୀ ବର୍ମା, ପୂର୍ବତନ ହାବିଲଦାର ସୁନିଲ କୁମାର ନାଏକ, ପୂର୍ବତନ ଓଏପିଏଫ ଅନିଲ ଏକ୍କା ଓ ରାଜ୍ୟରେ କରୋନା ସଂକ୍ରମଣ ଭଳି କଠିନ ପରିସ୍ଥ୍ିତିର ମୁକାବିଲା ସମୟରେ ରାଜ୍ୟବାସୀଙ୍କ ସେବାରେ ନିୟୋଜିତ ହୋଇ ପ୍ରାଣବଳୀ ଦେଇଥିବା ସମସ୍ତ କରୋନା ଯୋଦ୍ଧାଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଣିଥିଲେ । ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ହସପିଟାଲ ଗେଷ୍ଟ ହାଉସରୁ ଭିଡିଓ କନଫ୍ରେନ୍ସିଂରେ ସାମିଲ ହୋଇ ଏହି ଶୋକ ପ୍ରସ୍ତାବ ଆଲୋଚନାରେ ଅଂଶଗ୍ରହଣ କରି ଏହାକୁ ସମର୍ଥନ କରିଥିଲେ । ସେହିପରି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ତଥା ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରି ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଦିବଙ୍ଗତ ବିଧାୟକ ଓ ଜବାନ ମାନଙ୍କ ବିଷୟରେ କହିଥିଲେ ଓ ଶୋକ ପ୍ରସ୍ତାବ ପାରିତ ହୋଇଥିଲା । ଏହା ପରେ ଏକ ମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା । ଏଥିରେ ଆଇନ ପ୍ରଣୟନ ପାଇଁ ବୁଧବାର ଦିନ ବିଧାନସଭାରେ ୭ଟି ବିଲ୍ ଉପସ୍ଥାପିତ ହୋଇଛି । ଏହି ୭ ଟି ବିଲ୍ ହେଲା ଓଡିଶା ସହର ଯୋଜନା ଓ ଅଭିବୃଦ୍ଧି ନ୍ୟାସ (ସଂଶୋଧନ)ବିଲ୍ ୨୦୨୧ , ଓଡିଶା ବସ୍ତିବାସିନ୍ଦାମାନଙ୍କର ଭୂମି ଅଧିକାର (ସଂଶୋଧନ) ବିଲ୍ ୨୦୨୧, ଓଡିଶା ଦ୍ରବ୍ୟ ଓ ସେବା କର (ସଂଶୋଧନ) ବିଲ୍ ୨୦୨୧ , ଭାରତୀୟ ଷ୍ଟାମ୍ପ (ଓଡିଶା ସଂଶୋଧନ) ବିଲ୍ ୨୦୨୧ , ଓଡିଶା ସରକାରୀ ଜମି ବନ୍ଦୋବସ୍ତ (ସଂଶୋଧନ) ବିଲ୍ ୨୦୨୧, ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱ ବିଦ୍ୟାଳୟ ବିଲ୍ ୨୦୨୧ ଏବଂ ଓଡିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ବିଲ୍ ୨୦୨୧ । ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀମାନେ ଏହି ବିଲ୍ ଉପସ୍ଥାପନ କରିଥିଲେ ।
ସେହିପରି ପ୍ରଥମ ଦିନରେ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଯୋଗୁ ଆଜି ପ୍ରଶ୍ନୋତର କାର୍ଯ୍ୟକ୍ରମ ହୋଇ ପାରି ନାହିଁ । ଶୋକ ପ୍ରସ୍ତାବ ପାରିତ ହେବା ପରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ଡାକିଥିଲେ । ହେଲେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଓ ଅନ୍ୟ ମାନେ ନିଜ ନିଜ ଆସନରେ ଠିଆ ହୋଇ କିଛି କହୁଥିବା ଦେଖିବାକୁ ମିଳିଥିଲା । କଂଗ୍ରେସ ବିଧାୟକ ମାନେ ପ୍ରଶ୍ନୋତର କାର୍ଯ୍ୟକ୍ରମ ବାତିଲ କରି ରାଜ୍ୟରେ ମରୁଡି ପରିସ୍ଥିତି ନେଇ ଆଲୋଚନା କରିବାକୁ ଦାବି କରିଥିଲେ । ବାଚସ୍ପତି ସେମାନଙ୍କୁ କହିଥିଲେ ଯେ ବିରୋଧୀ ଦଳ ଦ୍ୱାରା ଏ ସମ୍ପର୍କରେ ଅଣା ଯାଇଥିଲା ମୁଲତବୀ ପ୍ରସ୍ତାବକୁ ସେ ସ୍ୱୀକାର କରିଛନ୍ତି । ପ୍ରଶ୍ନୋତର କାର୍ଯ୍ୟକ୍ରମ ପରେ ଏହା ଉପରେ ଆଲୋଚନା ହେବ । ତେଣୁ ପ୍ରଶ୍ନୋତର କାର୍ଯ୍ୟକ୍ରମକୁ ଚଳାଇ ରଖିବାରେ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ । ଅନ୍ୟ ପଟେ ମନ୍ତ୍ରୀ ତାଙ୍କର ଉତର ରଖୁଥିବା ଦେଖା ଯାଇଥିଲା । କଂଗ୍ରେସ ବିଧାୟକ ମାନେ ସେମାନଙ୍କର ହଟ୍ଟଗୋଳ ଜାରୀ ରଖିଥିଲେ । କଂଗ୍ରେସ ବିଧାୟକ ମାନେ ଗୃହର ମଧ୍ୟ ଭାଗକୁ ଯିବା ତଥା ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଚେଷ୍ଟା କରିବା ଦେଖିବାକୁ ମିଳିଥିଲା । ଏହା ପରେ ବାଚସ୍ପତି ୧୧.୩୯ରୁ ଦିନ ୧୨.୩୪ ଯାଏ ଗୃହକୁ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ସେହିପରି ମରୁଡ଼ି ପ୍ରସଙ୍ଗରେ ମୁଲତବୀ ଆଲୋଚନା ବେଳେ ରାଜସ୍ୱ ମନ୍ତ୍ରୀଙ୍କ ମନ୍ତ୍ରୀଙ୍କ ବଦଳରେ କୃଷି ମନ୍ତ୍ରୀ ଉତର ରଖିବାକୁ ନେଇ ଗୃହରେ ଉଦବେଗ ପ୍ରକଟ କରିଥିଲେ ବିରୋଧୀ । ରାଜସ୍ୱ ମନ୍ତ୍ରୀଙ୍କ ବଦଳରେ କାହିଁକି କୃଷି ମନ୍ତ୍ରୀ ଉତର ରଖିଲେ ବୋଲି ଉଭୟ କଂଗ୍ରେସ ଓ ବିଜେପି ପ୍ରଶ୍ନ କରିଛନ୍ତି । ଏହା ସଠିକ ପରମ୍ପରା ନୁହେଁ ବୋଲି ବିରୋଧୀ କହିଥିବା ବେଳେ ବାଚସ୍ପତି କହିଥିଲେ ମନ୍ତ୍ରୀ ପରିଷଦର ସଦସ୍ୟ ଉତର ରଖି ପାରିବେ । ଯେହେତୁ ରାଜସ୍ୱ ମନ୍ତ୍ରୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ ନାହିଁ ତେଣୁ ସେ ଭିସିରେ ରହୁଛନ୍ତି । ବାଚସ୍ପତିଙ୍କ ସ୍ପଷ୍ଟୀକରଣ ପରେ ଉତରରେ ଅସନ୍ତୁଷ୍ଟ ପ୍ରକାଶ କରି ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ଗୃହ ମଧ୍ୟ ଭାଗରେ ନାରବାଜି । ଫଳରେ ଗୃହକୁ ବାଚସ୍ପତି ବାରମ୍ବାର ମୁଲତବୀ ଘୋଷଣା କରିଥିଲେ ।
