ସମନ ସତ୍ତ୍ବେ ସିବିଆଇରେ ହାଜର ହେବେନି ତେଜସ୍ୱୀ ଯାଦବ
ନୂଆଦିଲ୍ଲୀ : ରେଳବାଇରେ ଚାକିରି ପାଇଁ ନିଯୁକ୍ତି ଦୁର୍ନୀତି ମାମଲାରେ ଜେରା ପାଇଁ ସିବିଆଇ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଶନିବାର ଦିଲ୍ଲୀ ମୁଖ୍ୟାଳୟରେ ହାଜର ହେବାକୁ ସମନ କରିଛି । ତେବେ ତେଜସ୍ୱୀ ତାଙ୍କ ପତ୍ନୀଙ୍କ ଅସୁସ୍ଥତା କାରଣରୁ ସିବିଆଇ ସମ୍ମୁଖରେ ଆଜି ହାଜର ହେବେ ନାହିଁ ବୋଲି ଜଣାପଡ଼ିଛି ।
ସୂତ୍ରରୁ ପ୍ରକାଶ ଯେ, ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରେଡ୍ ପରେ ତେଜସ୍ୱୀ ଯାଦବଙ୍କ ପତ୍ନୀଙ୍କୁ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଗର୍ଭବତୀ ଅଛନ୍ତି । ପ୍ରାୟ ୧୨ ଘଣ୍ଟା ପଚରଉଚରା ପରେ ବିପି ସମସ୍ୟା ଯୋଗୁଁ ସେ ଅଚେତ ହୋଇପଡିଥିଲେ ।
ସୂଚନା ଯେ, ରେଳବାଇ ନିଯୁକ୍ତି ‘ଘୋଟାଲା’ ମାମଲାରେ ଲାଲୁ ଯାଦବଙ୍କ ପରିବାରର ଅଡ଼ୁଆ ବଢିବାରେ ଲାଗିଛି । ସିବିଆଇ ପୂର୍ବରୁ ଲାଲୁ ଯାଦବ ଏବଂ ତାଙ୍କ ପତ୍ନୀ ରାବ୍ରି ଦେବୀଙ୍କୁ ପଚରାଉଚରା କରିଥିଲା। ଏଥିସହିତ ତେଜସ୍ୱୀ ଯାଦବଙ୍କୁ ସମନ ପଠାଯାଇଛି। ଏହି ମାମଲାରେ ଦ୍ୱିତୀୟ ଥର ପାଇଁ ତେଜସ୍ୱୀ ଯାଦବଙ୍କୁ ସିବିଆଇ ଡକାଇଛି।
ସିବିଆଇର ଜଣେ ଅଧିକାରୀ କହିଛନ୍ତି ଯେ ପୂର୍ବରୁ ତେଜସ୍ୱୀ ଯାଦବଙ୍କୁ ଫେବୃଆରୀ ୪ ରେ ସମନ କରାଯାଇଥିଲା । କିନ୍ତୁ ସେ ବିଧାନସଭା ଅଧିବେଶନ ଚାଲିଥିବା ଦର୍ଶାଇ ଆସିନଥିଲେ। ଏବେ ତାଙ୍କୁ ପୁଣି ହାଜର ପାଇଁ କୁହାଯାଇଛି। ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ସମ୍ପର୍କୀୟଙ୍କ ବାସଭବନରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ କରିଥିଲା । ଇଡିର ଏହି ରେଡ୍ ଦିଲ୍ଲୀ, ମୁମ୍ବାଇ, ପାଟନା ଓ ନୋଏଡା ସ୍ଥିତ ବିଭିନ୍ନ ସ୍ଥାନରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ।
