ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଯୋଜନା : ଏଣିକି ଘରେ ଘରେ ଲୋକଙ୍କୁ ଦିଆଯିବ ଟିକା
ଭୁବନେଶ୍ୱର : ଏଣିକି ଯେଉଁମାନେ ଟିକା ନେବା ପାଇଁ ଟିକାକରଣ କେନ୍ଦ୍ରକୁ ଯାଇପାରୁନାହାନ୍ତି ସେମାନଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗ ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛି । ସେମାନଙ୍କୁ ଘରେ ଯାଇ ଟିକା ଦିଆଯିବାର ବ୍ୟବସ୍ଥା କରାଯାଉଛି। ଏଥିପାଇଁ ପ୍ରତ୍ୟେକ ଜିଲାପାଳଙ୍କୁ ଚିଠି ଦିଆଯାଇଛି। ଏହାସହ ଏକ ହେଲପଲାଇନ ନମ୍ବର ଜାରି କରାଯିବ। ସେମାନେ ଏହି ନମ୍ବରରେ କଣ୍ଟାକ୍ଟ କଲା ପରେ ତାଙ୍କ ଘରକୁ ମୋବାଇଲ ଭ୍ୟାନରେ ଯାଇ ତାଙ୍କୁ ଟିକା ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, “ଅନ୍ୟ ସଚେତନତା ପଦକ୍ଷେପ ବାଦ କୋଭିଡ ସଂକ୍ରମଣ କମାଇବା ଲାଗି ଏହା ହିଁ ଏକମାତ୍ର ଦକ୍ଷ ପଦକ୍ଷେପ । ଏ ଦିଗରେ ବିଏମସିର ଗାଇଡ଼ଲାଇନ ଏକ ଆଗୁଆ ବ୍ୟବସ୍ଥା । ଲୋକମାନେ ନିଜେ ଭିଡ଼ କମ କରନ୍ତୁ । ପ୍ରଶାସନ ବି ସଜାଗ ରହିଛି । ଭୁବନେଶ୍ବରରେ ପଜିଟିଭ ହାର ଅଧିକ ରହୁଥିବାରୁ ବିଏମସି ଗାଇଡ଼ଲାଇନ ଜାରି କରିଛି । ନୀତି ଆୟୋଗ, ଆଇସିଏମଆର ପ୍ରଭୃତି ଭିଡ଼ କମାଇବାକୁ ପରାମର୍ଶ ଦେଇଛନ୍ତି । ସମସ୍ତେ ମିଶିକି ନଭେମ୍ବର ପର୍ଯ୍ୟନ୍ତ ସତର୍କ ରହିଲେ, କୋଭିଡକୁ ହରାଇ ପାରିବା।” ଅପରପକ୍ଷେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ,” ରାଜ୍ୟରେ କରୋନା ସ୍ଥିତି ସ୍ଥିର ଅଛି। ତଥାପି ଆସନ୍ତା ୩ ମାସ ଆମ ପାଇଁ ନିର୍ଣ୍ଣାୟକ ହେବ। ଯେଉଁ ସେରୋ ସର୍ଭେ ହୋଇଥିଲା ସେଥୁରେ ୭୦ ପ୍ରତିଶତ ଲୋକଙ୍କ ଇମ୍ୟୁନିଟି ଥୁବା ଜଣାପଡ଼ିଛି । ତେଣୁ ଯଦି ଟିକାକରଣ ଓ ଇମ୍ୟୁନିଟି ବଢିବ ତାହେଲେ ସଂକ୍ରମଣ ସମ୍ଭାବନା କମିଯିବ। ତେଣୁ ୩ ମାସ ଭିତରେ ଯେଉଁ ପାର୍ବଣ ଅଛି ସେଥ୍ରେ ସତର୍କ ରହିବାକୁ ପଡ଼ିବ”। ଏଥିରେ ଭିନ୍ନକ୍ଷମ ଓ ଯେଉଁମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା କରିପାରୁନଥିବେ ତାଙ୍କୁ ଅନ୍ତର୍ଭୁକ୍ତ କରାଯିବ। ସାଧାରଣତଃ ଶିଶୁମାନେ ଶୀତ ଦିନରେ ଅଧିକ ଥଣ୍ଡାର ଶିକାର ହୋଇଥାନ୍ତି। ତେଣୁ ଘରେ ରହିଲେ ମଧ୍ୟ କେମିତି ସୁରକ୍ଷିତ ରହିବେ ତା ଉପରେ ଗୁରୁତ୍ବ ଦେବା ଉଚିତ। ଏହା ସହ ଘରର ଅନ୍ୟ ସଦସ୍ୟ ମାନେ ଟିକା ନେବା ସହ କୋଭିଡ ଗାଉଡ଼ଲାଇନ ପାଳନ କଲେ ଶିଶୁମାନେ ନିରାପଦ ରହିବେ। ସୂଚନା ଯେ, ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସୁଥିଲେ ବି ଖୋର୍ଦ୍ଧା ଜିଲ୍ଲାରେ ଏବେବି ତିନି ଅଙ୍କ ଉପରେ ରହୁଛି। ବିଶେଷ କରି ଭୁବନେଶ୍ବର ଚିନ୍ତା ବଢାଇଛି। ଏପରି ସ୍ଥିତିରେ ଆଗକୁ ଶୀତ ଋତୁ ଆସୁଥିବାରୁ ବିଏମସି ପାଇଁ ଚିନ୍ତା ବଢ଼ିଛି। ସାମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖ୍ ଆଗୁଆ ସଜବାଜ ହୋଇଛି ବିଏମସି। ସାମାଜିକ କାର୍ଯ୍ୟକ୍ରମରେ ଅତି ବେଶୀରେ ୫୦ ଜଣଙ୍କୁ ସାମିଲ କରିବା ନେଇ ଏସଓପି ଜାରି କରିଛି। କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ସ୍ଥାନର ୫୦ ପ୍ରତିଶତ ଚଳ ପ୍ରଚଳ ପାଇଁ ଖାଲି ରଖିବାକୁ ଏସଓପିରେ କୁହାଯାଇଛି।
