ପ୍ରତିରକ୍ଷା ବିଭାଗର ନିର୍ମାଣାଧୀନ ରାସ୍ତାକୁ ଓଟି ରୋଡ୍ ସହ ସଂଯୋଗ ଦାବିରେ ଗଣଧାରଣା
ବାଲେଶ୍ୱର : ବାଲେଶ୍ୱର ଜିଲା ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ପ୍ରତିଷ୍ଠାନକୁ କୁରୁଡ଼ାରୁ ପାତ୍ରପଡ଼ା ପର୍ଯ୍ୟନ୍ତ ୭୬କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ନର୍ମାଣାଧୀନ ରାସ୍ତାକୁ ଓଟିରୋଡ୍ ସହ ତାମୁଳିଆ ରେଳ ଫାଟକ ନିକଟରେ ସଂଯୋଗ ପ୍ରସ୍ତାବକୁ ବାତିଲ୍ କରାଯାଇଥିବା ଅଭିଯୋଗରେ ଗୁରୁବାର ମେଘଡମ୍ବରୁ ବିକାଶ ପରିଷଦ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ଲୋକେ ଗଣଧାରଣା ଦେଇଥିଲେ । ପ୍ରାୟ ୩ଶହ ମିଟର ରାସ୍ତାକୁ ସଂଯୋଗ କରାଗଲେ ବାଲେଶ୍ୱର ସହରକୁ ଏକ ନୂତନ ସଂଯୋଗ ରାସ୍ତାର ସୂଯୋଗ ମିଳିବା ସହ କଟକ, ଭୁବନେଶ୍ୱରରୁ ଆସୁଥିବା ଯାନବାହାନଗୁଡ଼ିକ ତାମୁଳିଆ ଓଭରବ୍ରିଜ୍ କିମ୍ବା ପ୍ରସ୍ତାବିତ ସଂଯୋଗ ରାସ୍ତାକୁ ବ୍ୟବହାର କରିପାରିବେ । ଉକ୍ତ ୩ଶହ ମିଟର ରାସ୍ତା ନିର୍ମାଣ ପାଇଁ ସେଠାରେ ଦୀର୍ଘବର୍ଷ ଧରି ବାସ କରୁଥିବା ପରିବାରମାନଙ୍କୁ ଉଚ୍ଛେଦ କରାଯାଇଛି । କିନ୍ତୁ ବର୍ତ୍ତମାନ ଉକ୍ତ ସଂଯୋଗ ରାସ୍ତା ନିର୍ମାଣ ପ୍ରସ୍ତାବ ବାତିଲ୍ ହୋଇଥିବା ଜାଣିବା ପରେ ସ୍ଥାନୀୟ ଅଞ୍ଚଳବାସୀ ଓ ବାଲେଶ୍ୱର ସହରର ବହୁ ବୁଦ୍ଧିଜୀବୀ ପ୍ରତିରକ୍ଷା ବିଭାଗର ଏହି ଅପରିଣାମଦର୍ଶୀ ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ଧାରଣାକାରୀ ମାନଙ୍କ ସ୍ୱାକ୍ଷର ସମ୍ବଳିତ ଏକ ଦାବିପତ୍ର ବାଲେଶ୍ୱର ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି । ଦାବିପତ୍ର ସୁବିଚାର ନହେଲେ ବ୍ୟାପକ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି ।
ପରିଷଦର ଆବାହକ ମହେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଧାରଣାସ୍ଥଳରେ ଅନୁଷ୍ଠିତ ସଭାରେ ଆଇନଜୀବୀ ନିରଞ୍ଜନ ପରିଡ଼ା, ସମାଜସେବୀ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଜିଲାବାସୀଙ୍କ ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ଜିଲାପାଳ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । କମଳାକାନ୍ତ ଦାଶ, ଯୁଧିଷ୍ଠିର ପରମାଣିକ, ଭରତ ବିକ୍ରମ ମହାଳିକ, ନିରାକାର ରାୟ, ସୀତାଂଶୁ ଲେଙ୍କା, ସ୍ମୃତିପ୍ରିୟା ରାଉତ ଓ ସ୍ଥାନୀୟ ୱାର୍ଡ଼ମେମ୍ବର ଗୌରାଙ୍ଗ ପାତ୍ର ପ୍ରମୁଖ ଏହି ଗଣଧାରଣା ସ୍ଥଳରେ ଉପସ୍ଥିତ ରହି ଦାବିକୁ ସମର୍ଥନ ଜଣାଇଥିଲେ ।
