ନାଗାଲାଣ୍ଡ ଗୁଳିକାଣ୍ଡ ପରେ ଜୋର ଧରୁଛି ଏଏଫଏସପିଏ ପ୍ରତ୍ୟାହାର ଦାବି
କୋହିମା : ସୁରକ୍ଷା ବଳର ଭୁଲ ରଣନୀତି ପାଇଁ ନାଗାଲାଣ୍ଡରେ ୧୪ ସାଧାରଣ ନାଗରିକଙ୍କ ଦୁଖଃଦ ମୃତ୍ୟୁ ପରେ ଉତ୍ତର-ପୂର୍ବ ରାଜ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ନାଗାଲାଣ୍ଡ, ମେଘାଳୟର ମୁଖ୍ୟମନ୍ତ୍ରୀ ସୁରକ୍ଷା ବଳ ସ୍ବତନ୍ତ୍ର କ୍ଷମତା ଆର୍ମଡ ଫୋର୍ସସ ସ୍ପେସିଆଲ ପାୱାର ଆକ୍ଟ (ଏଏଫଏସପିଏ) ରଦ୍ଦ କରିବାକୁ ଦାବି କରିଛନ୍ତି । ଏହି ଅଘଟଣରେ ଅସନ୍ତୋଷ ପ୍ରକାଶ କରି ନାଗାଲାଣ୍ଡ ଏବଂ ମେଘାଳୟର ମୁଖ୍ୟମନ୍ତ୍ରୀ ୧୯୫୮ ମସିହାରେ ପ୍ରଣିତ ସଶସ୍ତ୍ର ବାହିନୀ (ସ୍ବତନ୍ତ୍ର କ୍ଷମତା) ଆଇନ ରଦ୍ଦ କରି ଟ୍ବିଟ କରିଥିବା ମଧ୍ୟ ଦେଖିବାକୁ ମିଳିଛି ।
ଏହି ଘଟଣା ପରେ ଏଏଫଏସପିଏକୁ ଏକ ଡ୍ରାକୋନିଆନ୍ ଆଇନ ବୋଲି ବିବେଚନା କରି ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ନିଫି ରିଓ କହିଛନ୍ତି, ଯେ ଏହା ସମଗ୍ର ଦେଶର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛି । ସେ ଏହାର ପ୍ରତ୍ୟାହାର ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଓ ଗୃହମନ୍ତ୍ରୀ ଶାହ ଏହା ଉପରେ ଗୁରୁତ୍ବର ସହ ବିଚାର କରୁଥିବା ମଧ୍ୟ କହିଛନ୍ତି ନିଫି ରିଓ । ସେହିପରି ମେଘାଳୟର ମୁଖ୍ୟମନ୍ତ୍ରୀ କନରାଡ କେ ସାଙ୍ଗମା ମଧ୍ୟ ସଶସ୍ତ୍ର ବାହିନୀ (ସ୍ବତନ୍ତ୍ର ଶକ୍ତି) ଅଧିନିୟମ ୧୯୫୮ ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ରଦ୍ଦ କରାଯାଉ ବୋଲି ଦାବି କରିଛନ୍ତି । ଏନେଇ ସେ ମଧ୍ୟ ଟ୍ବିଟ କରିଥିବା ମଧ୍ୟ ଦେଖିବାକୁ ମିଳିଛି ।
ତେବେ ଏପରି ସ୍ପର୍ଶକାତର ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ପ୍ରତିକ୍ରିୟା ସୃଷ୍ଟି ହେବାରେ ଲାଗିଥିବା ବେଳେ ଦିଲ୍ଲୀରେ ସ୍ବେଚ୍ଛାସେବୀ, ମାନବାଧିକାର କର୍ମୀ ଓ ନାଗାଲାଣ୍ଡ ସମେତ ଉତ୍ତର ପୂର୍ବ ଅଧିବାସୀମାନେ କ୍ୟାଣ୍ଡେଲ ଶୋଭାଯାତ୍ରା କରିବା ସହ ପ୍ରତିବାଦ କରିଛନ୍ତି । ସେହିପରି ଘଟଣାକୁ ନେଇ ସାରା ଦେଶରେ ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଥିବାବେଳେ ଆଜି ସଂସଦରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିବୃତ୍ତି ରଖିଛନ୍ତି । ଏସବୁ ମଧ୍ୟରେ ଉତ୍ତର-ପୂର୍ବରୁ ଏଏଫଏସପିଏ ଆକ୍ଟ ପ୍ରତ୍ୟାହାର ଦାବି ମଧ୍ୟ ଜୋର ଧରିବା ଆରମ୍ଭ କଲାଣି ।
ପୋଲିସର ସୂଚନାନୁସାରେ, ନାଗାଲାଣ୍ଡର ସୋମ ଜିଲ୍ଲାରେ ଆତଙ୍କୀ ବିରୋଧୀ ଅପରେସନରେ ତ୍ରୁଟି ଯୋଗୁ ୧୪ ଜଣ ସାଧାରଣ ନାଗରିକ ଏବଂ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି। ସାଧାରଣ ନାଗରିକଙ୍କ ଉପରକୁ ଗୁଳି ଚଳାଇଥିବା ଅଭିଯୋଗରେ ନାଗାଲାଣ୍ଡ ପୋଲିସ ସେନାର ୨୧ ପାରା ସ୍ପେଶାଲ ଫୋର୍ସ ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରିଛି। ଘଟଣା ପରେ ସୋମ ସହରରେ ୧୪୪ ଧାରା ଜାରି ରହିଛି । ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ସେନା ମଧ୍ୟ ନିଜ ଆଡୁ କୋର୍ଟ ଅଫ ଇନକ୍ୟୁୁରୀ ନିର୍ଦ୍ଦେଶ ଦେଇଛି । ଅନ୍ୟ ପଟେ ଜାତୀୟ ମାନବାଧିକାର ଆୟୋଗ ନିଜ ଆଡୁ ଏକ ମାମଲା ଦାଏର କରିବା ସହ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।
