ପାର୍ଟ ଟାଇମ ଅଗ୍ନିଶମ ସୁଇପରଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦାବି
ବାଲେଶ୍ୱର : ବାଲେଶ୍ୱର ଜିଲାର ଅଗ୍ନିଶମ କାର୍ଯ୍ୟାଳୟରେ ଦୀର୍ଘବର୍ଷ ଧରି ପାର୍ଟ ଟାଇମ କାର୍ଯ୍ୟକରି ଆସୁଥିବା ସୁଇପରମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରିବା ଦାବିରେ ଗୁରୁବାର ଦିନ ଜିଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।
ଦୀର୍ଘ ୩୦ବର୍ଷରୁ ଊର୍ଦ୍ଧ୍ୱ କାଳଧରି ସେମାନେ ଅସ୍ଥାୟୀ ତଥା ସାମୟିକ ସଫେଇ କର୍ମଚାରୀ ଭାବେ ଜିଲାର ବିଭିନ୍ନ ଅଗ୍ନିଶମ ବିଭାଗରେ କାର୍ଯ୍ୟ କରିଆସୁଛନ୍ତି । ସରକାରଙ୍କ ଧାର୍ଯ୍ୟ ସର୍ବନିମ୍ନ ମଜୁରିଠାରୁ କମ ଅର୍ଥ ପାଇ ପୂର୍ବରୁ କୌଣସିମତେ ପରିବାର ଗୁଜରାଣ ମେଣ୍ଟାଇ ଆସୁଥିଲେ । ମାତ୍ର ସାମ୍ପ୍ରତିକ ସ୍ଥିତିରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶଛୁଆଁ ଭାବେ ବଢ଼ି ଚାଲିଥିବା ବେଳେ ପରିବାର ଚଳାଇବା ତଥା ପିଲାଛୁଆଙ୍କୁ ପାଠ ପଢ଼ାଇବା ସେମାନଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି ବୋଲି ସଫେଇ କର୍ମଚାରୀମାନେ କହିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟ ଅତୀତରେ ବିଭିନ୍ନ ବିଭାଗର ଠିକା କର୍ମଚାରୀଙ୍କୁ ନିୟମିତ ସରକାରୀ ଚାକିରିଆର ମାନ୍ୟତା ଦିଆଯାଇଥିବା ବେଳେ ସେମାନଙ୍କୁ ଏଥିରୁ ବାଦ ପକାଯିବା କେଉଁ ନ୍ୟାୟରେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ସେମାନଙ୍କୁ ତୁରନ୍ତ ସରକାରୀ କର୍ମଚାରୀ ମାନ୍ୟତା ଦେବା ସହ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ ପାଇଁ ଠିକା ସଫେଇ କର୍ମଚାରୀମାନେ ନିବେଦନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ବିଭିନ୍ନ ବ୍ଲକ ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ସାମୟିକ ସଫେଇ କର୍ମଚାରୀ ଶରତ କୁମାର ଦାସ, ଦିଲ୍ଲୀପ କୁମାର ବେହେରା, କୃପାସିନ୍ଧୁ ଜେନା, ରଶ୍ମିରଂଜନ ପ୍ରଧାନ, ଅନିରୁଦ୍ଧ ଦାସ, ମନୋରଂଜନ ଦାସ, ସଞ୍ଜୟ ମୁଖୀ, ଶମ୍ଭୁନାଥ ବେହେରା, ଦେବେନ୍ଦ୍ରେ ଜେନା, ମନନ ମୁଖୀ ପ୍ରମୁଖ ଉପସ୍ଥିତ ଥିଲେ ।
