ଶ୍ରମ ଅଧିକାରୀ ଓ କର୍ମଚାରୀଙ୍କ ସହ ଶ୍ରମିକନେତାଙ୍କ ଧସ୍ତାଧସ୍ତିର ନିରପେକ୍ଷ ତଦନ୍ତ ଦାବି
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ଶ୍ରମ ଅଧିକାରୀ ଓ କର୍ମଚାରୀଙ୍କ ସହ ଏକ ନିର୍ଦ୍ଦିଷ୍ଟ ଶ୍ରମିକ ୟୁନିଅନର କର୍ମକର୍ତ୍ତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇ ଉଭୟ ପକ୍ଷ ଥାନାରେ ଅଭିଯୋଗ ଦେବା ଓ ୟୁନିଅନର କିଛି କର୍ମକର୍ତ୍ତା ଶ୍ରମ ଅଧିକାରୀଙ୍କ ଏତଲା ଅନୁଯାୟୀ ପୋଲିସ ଦ୍ୱାରା ଗିରଫ ହେବା ଅପର ପକ୍ଷରେ ଶ୍ରମିକ ସଂଗଠନର କର୍ମକର୍ତ୍ତା ଓ ଶ୍ରମିକମାନଙ୍କ ଦ୍ୱାରା ଶ୍ରମ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ପାଲଟା ଅଭିଯୋଗ ଦିଆଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା । ଏଠାରେ ସୂଚନା ଯୋଗ୍ୟ ଯେ ଦୀର୍ଘ ୩/୪ବର୍ଷ ହେବ କେନ୍ଦ୍ରାପଡା ଶ୍ରମ କାର୍ଯ୍ୟାଳୟରେ ନିର୍ମାଣ ଶ୍ରମିକଙ୍କ ନାମ ପଞ୍ଜିକରଣ କରିବା, ଶ୍ରମିକମାନଙ୍କୁ ସାଇକେଲ ପ୍ରଦାନ, ସେମାନଙ୍କ ପିଲାମାନଙ୍କୁ ଶିକ୍ଷା ସହାୟତା, ମୃତ୍ୟୁକାଳୀନ ସହାୟତା ଯୋଗାଇ ଦେବାରେ କର୍ମଚାରୀମାନେ ମନମାନି କରି ବହୁ ବିଳମ୍ବ କରିବା ଓ ସହାୟତା ରାଶୀ ପ୍ରଦାନରେ ବହୁ ଅନିୟମିତତା କରୁଥିବା ଅଭିଯୋଗ ହୋଇଆସୁଛି । ଏନେଇ ଅତିତରେ ଶ୍ରମିକ ୟୁନିଅନ ଗୁଡିକ ପକ୍ଷରୁ ଶ୍ରମ କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ସମୟରେ ଧାରଣା ଦିଆଯିବା ସହ ଶ୍ରମିକ କଲ୍ୟାଣ ବୋର୍ଡ ଓ ଶ୍ରମମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଶ୍ରମିକମାନଙ୍କ ପୁଞ୍ଜିଭୁତ ଅସନ୍ତୋଷର ପ୍ରତିଫଳନ ଓ ବୁଝାମଣା ଅଭାବରୁ ଯୋଗୁଁ ଶ୍ରମିକ ୟୁନିଅନ ଓ ଶ୍ରମ ଅଧିକାରୀଙ୍କ ମଧ୍ୟରେ ଏଭଳି ଏକ ଘଟଣା ଘଟିଯାଇଛି । ପୋଲିସ ନିରପେକ୍ଷ ତଦନ୍ତ ନକରି ଗୋଟିଏ ପକ୍ଷଙ୍କୁ ଗିରଫ କରିବା ସମିଚୀନ ନୁହେଁ । ଏଭଳି ଏକ ଘଟଣାର ତୁରନ୍ତ ସମାଧାନ ପାଇଁ ଶ୍ରମ ଆୟୁକ୍ତ ଓ ଜିଲ୍ଲା ପ୍ରଶାସନ ଜିଲ୍ଲାର ସମସ୍ତ ଟ୍ରେଡ ୟୁନିଅନମାନଙ୍କୁ ଡକାଇ ପ୍ରଥମେ ସେମାନଙ୍କ ଅଭିଯୋଗର ଶୁଣାଣି କରି ଘଟଣାର ଆଶୁ ସମାଧାନ କରିବାକୁ କେନ୍ଦ୍ରାପଡା ଜିଲ୍ଲା ହିନ୍ଦ ମଜଦୁର ସଭାର ସମ୍ପାଦକ ଡଃ. ଗଦାଧର ମଲ୍ଲିକ, ଆଇ.ଏନ.ଟି.ୟୁ.ସି.ର କୃଷ୍ଣଚନ୍ଦ୍ର ରାଉତ, ମହେନ୍ଦ୍ର ପରିଡା, ଏ.ଆଇ.ଟି.ୟୁ.ସି.ର ବାବାଜୀ ଧଳ, ସି.ଏସ.ଟି.ୟୁ.ର ଜଗତଜୀବନ ଦାଶ, ଏଚ.ଏମ.ଏସ.ର ପରମେଶ୍ୱର ପାତ୍ର, ଡି.ଏମ.ଏସ.ର ପ୍ରଶାନ୍ତ ତ୍ରିପାଠୀ ପ୍ରମୁଖ ଦାବି କରିଛନ୍ତି ।
