ଆଇପିଏଲ-୨୦୨୧ : ରାଜସ୍ଥାନକୁ ୧୫୫ ରନର ବିଜୟ ଲକ୍ଷ୍ୟ ଦେଲା ଦିଲ୍ଲୀ
ଦୁବାଇ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ରେ ଶନିବାରର ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ୍ । ଫଳରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ଶ୍ରେୟସ୍ ଆୟର ଏବଂ ସିମ୍ରନ୍ ହେଟମାୟରଙ୍କ ଉପଯୋଗୀ ଇନିଂସ ବଳରେ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ସଂଗ୍ରହ କରିଛି ୧୫୪ ରନ । ରାଜସ୍ଥାନକୁ ଜିତିବାକୁ ହେଲେ ୧୫୫ ରନ ସଂଗ୍ରହ କରିବାକୁ ହେବ । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଓପନର ପଥ୍ବୀ ସ’ ଏବଂ ଶିଖର ଧାଓ୍ବନ୍ ଦଳକୁ ନିରାଶ କରିଥିଲେ । ବ୍ୟକ୍ତିଗତ ଭାବେ ପୃଥ୍ବୀ ସ’ ୧୦ ରନ କରି ଆଉଟ ହୋଇଥିବା ବେଳେ ଶିଖର ଧାଓ୍ବନ ୮ ରନ କରି ଆଉଟ ହୋଇଛନ୍ତି । ସେହିଭଳି ଶ୍ରେୟସ ଆୟର ଚମତ୍କାର ଇନିଂସ ଖେଳି ୩୨ ବଲରେ ଗୋଟିଏ ଚୌକା ଏବଂ ୨ଟି ଛକା ସହାୟତାରେ ୪୩ ରନ କରି ଆଉଟ ହୋଇଥିବା ବେଳେ, ଋଷଭ ପନ୍ତ ୨୪ ରନ, ସିମ୍ରନ୍ ହେଟମାୟର ୨୮ ରନ, ଅକ୍ଷର ପଟେଲ ୧୨ ରନ କରି ଆଉଟ ହୋଇଛନ୍ତି । ଲଳିତ ଯାଦବ ୧୪ ଏବଂ ରବିଚନ୍ଦ୍ରନ ଅଶ୍ବିନ ୬ ରନ କରି ଅପରାଜିତ ଅଛନ୍ତି । ରାଜସ୍ଥାନ ପକ୍ଷରୁ ତବରିଜ୍ ସାମସୀ ୪ ଓଭରରେ ୩୪ ରନ ଦେଇଥିବା ବେଳେ, ମହିପାଲ ଲୋମରୋର୍ ୧ ଓଭରରେ ୫ ରନ, କାର୍ତ୍ତିକ ତ୍ୟାଗୀ ୪ ଓଭରରେ ୪୦ ରନ ୧ ଓ୍ବିକେଟ୍, ଚେତନ ସକାରିୟା ୪ ଓଭରରେ ୩୩ ରନ ୨ ଓ୍ବକେଟ, ମୁସ୍ତଫିଜୁର ରେହମାନ ୪ଓଭରରେ ୨୨ ରନ ୨ ଓ୍ବିକେଟ, ରାହୁଲ ତେଓ୍ବାତିୟା ୩ ଓଭରରେ ୧୭ ରନ ଦେଇ ୧ ଓ୍ବିକେଟ ନେଇଛନ୍ତି ।
ସୂଚନା ଯେ, ଚଳିତ ଆଇପିଏଲ୍ରେ ୯ ମ୍ୟାଚ୍ ଖେଳି ୭ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦିଲ୍ଲୀ ସୁନ୍ଦର ଫର୍ମରେ ରହିଛି। ଋଷଭ ପନ୍ତଙ୍କ ନେତୃତ୍ବାଧୀନ ଦିଲ୍ଲୀ ପ୍ରଥମ ଚରଣରେ ୮ ମ୍ୟାଚ୍ରୁ ୬ ବିଜୟ ପାଇଥିଲା। ଦ୍ବିତୀୟ ଚରଣରେ ଏହି ଦଳ ସନ୍ରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟ୍ରେ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିବା ସହ ଟେବୁଲର ଶୀର୍ଷ ସ୍ଥାନକୁ ଫେରିଥିଲା। ପ୍ରଥମ ଚରଣରେ ଆହତ ଯୋଗୁଁ ବାଦ୍ ପଡ଼ିଥିବା ଶ୍ରେୟସ ଆୟର ଉକ୍ତ ମ୍ୟାଚରେ ଅପରାଜିତ ୪୭ ରନ୍ ସହ ସୁନ୍ଦର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହା ଦଳ ପାଇଁ ଆଉ ଏକ ଶୁଭ ଖବର। ଅଧିନାୟକ ପନ୍ତ (୨୪୮ ରନ୍), ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ଓ ସିମ୍ରନ ହେଟମେୟରଙ୍କୁ ନେଇ ଦିଲ୍ଲୀର ମଧ୍ୟଭାଗ ଦୃଢ଼ ରହିଛି। ବୋଲିଂରେ ଅଭେଶ ଖାନ୍ ଭଲ କରୁଥିଲା ବେଳେ ଦକ୍ଷିଣ ଆଫ୍ରିକାର ଦୁଇ ଦ୍ରୁତ ବୋଲର କାଗିସୋ ରବାଦା ଓ ଅନିରିକ୍ ନର୍ଖିଆ ମଧ୍ୟ ଯେକୌଣସି ବ୍ୟାଟିଂ ଲାଇନ୍କୁ ଧ୍ବସ୍ତବିଧ୍ବସ୍ତ କରିବାକୁ ସକ୍ଷମ। ତେବେ ମଝି ଓଭରରେ ସ୍ପିନର ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ବିନଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି ଏବଂ ମାର୍କସ ଷ୍ଟୋଇନିସ ଆହତ ହେବା ଦଳ ଲାଗି ବଡ଼ ସଂକଟ।
ଅନ୍ୟପକ୍ଷରେ ପ୍ରଥମ ଚରଣରେ ବିଜୟ ପାଇଁ ସଂଘର୍ଷ କରୁଥିବା ରାଜସ୍ଥାନ ଦ୍ବିତୀୟ ଚରଣର ପ୍ରଥମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ ୨ ରନ୍ରେ ହରାଇ ଆତ୍ମବିଶ୍ବାସ ଫେରିପାଇଛି। ଏହି ବିଜୟ ସହ ରାଜସ୍ଥାନ ମଧ୍ୟ ପ୍ଲେ-ଅଫ୍ ଆଶା ଉଜ୍ଜୀବିତ ରଖିଛି। ଯଦି ଦିଲ୍ଲୀ ବିପକ୍ଷ ମ୍ୟାଚ୍ ରାଜସ୍ଥାନ ଜିତେ ତେବେ ଏହି ଦଳ ପଏଣ୍ଟ ଟେବୁଲର ଚତୁର୍ଥରେ ପହଞ୍ଚିବା ସହ ପ୍ଲେ-ଅଫ୍ର ନିକଟତର ହେବ। ରାଜସ୍ଥାନ ପାଇଁ ଦୁଇ ଯୁବ ତାରକା ଯଶସ୍ବୀ ଜୟସ୍ବାଲ ଓ ମହିପାଳ ଲୋମରୋର୍ ପଞ୍ଜାବ ବିପକ୍ଷରେ ଭଲ ପ୍ରଦର୍ଶନ ଦେଇଥିଲେ। ତେବେ ଅଧିନାୟକ ସଂଜୁ ସାମସନ୍ଙ୍କୁ ଟିକେ ଅଧିକ ଦାୟିତ୍ବ ନେବା ଦଳ ପାଇଁ ଆବଶ୍ୟକ ପଡ଼ୁଛି। ବୋଲିଂରେ କାର୍ତ୍ତିକ ତ୍ୟାଗୀ ଓ ବାଂଲାଦେଶର ମୁସ୍ତାଫିଜୁର ରହମାନ ଶେଷ ସମୟରେ ନିଜ କାର୍ଯ୍ୟ ଠିକ୍ରେ ତୁଲାଇଛନ୍ତି। ଶେଷ ଦୁଇ ଓଭରରେ ପଞ୍ଜାବକୁ ୮ ରନ୍ ଆବଶ୍ୟକ ଥିଲା ବେଳେ ମୁସ୍ତାଫିଜୁର ୪ ଏବଂ କାର୍ତ୍ତିକ ୨ ୱିକେଟ୍ ନେବା ସହ ୧ ରନ୍ ଦେଇ ଦଳକୁ ଚତୁର୍ଥ ବିଜୟ ଭେଟି ଦେଇଥିଲେ। ଏହି ପୂର୍ବତନ ବିଜେତା ଦଳ ବିଜୟ ଧାରି ଜାରି ରଖିବା ସହ ୨ ପଏଣ୍ଟ ଲକ୍ଷ୍ୟରେ ରହିବ। ତେବେ ଦିଲ୍ଲୀ ବିପକ୍ଷ ଶନିବାର ମ୍ୟାଚ୍ରେ ରୟାଲ୍ସ ସମ୍ମୁଖରେ ବଡ଼ ଆହ୍ବାନ ହେଉଛି ଚଳିତ ଆଇପିଏଲ୍ରେ ସର୍ବୋଚ୍ଚ ରନ୍ ହାସଲକାରୀ ଶିଖର ଧାୱନଙ୍କୁ ଏବଂ ଲୟରେ ଥିବା ପୃଥ୍ବୀ ସ’କୁ ଅଟକାଇବା। ଏଭଳି କରି କ’ଣ ଆତ୍ମବିଶ୍ବାସ ଫେରିପାଇଥିବା ରାଜସ୍ଥାନ ଲୟରେ ଥିବା ଦିଲ୍ଲୀ ଅଟକାଇପାରିବ କି?
