ଆଇପିଏଲ୍-୨୦୨୧ : ୪ ଓ୍ଵିକେଟ୍ରେ ଜିତି ପ୍ଲେ ଅଫ୍ରେ ସ୍ଥାନ ପକ୍କା କଲା ଦିଲ୍ଲୀ
ଶାରଜା : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୪ତମ ସଂସ୍କରଣର ୪୬ତମ ମ୍ୟାଚ୍ରେ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଛି। ଶାର୍ଜା କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ରୋମାଞ୍ଚକର ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ମୁମ୍ବାଇକୁ ୪ ଓ୍ବିକେଟରେ ପରାସ୍ତ କରି ପ୍ଲେ ଅଫ୍ରେ ସ୍ଥାନ ପକ୍କା କରିଛି ପନ୍ତଙ୍କ କ୍ୟାପିଟାଲ୍ସ ।
ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ୧୨୯ ରନ ସଂଗ୍ରହ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଦଳ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଓପନର ଅଧିନାୟକ ରୋହିତ ଶର୍ମା ଏବଂ କ୍ବିଣ୍ଟନ୍ ଡି’ କକ୍ ନିରାଶ କରିଥିଲେ । ରୋହିତ ମାତ୍ର ୭ ରନ କରି ଆଉଟ ହୋଇଥିବା ବେଳେ ଡି କକ୍(୧୯ରନ) ବଡ ପାଳି ଖେଳିବାକୁ ବିଫଳ ହୋଇଥିଲେ । ମୁମ୍ବାଇ ଇଣ୍ଡିଆନ୍ସର ଅନ୍ୟ ଖେଳାଳିମାନେ ମଧ୍ୟ ବଡ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ଫାଷ୍ଟ ଡାଉନ୍ ସୂର୍ଯ୍ୟକୁମାର ଯାଦବ ସମ୍ମାନଜନକ ସ୍କୋର କରିଥିଲେ । ୨୬ ବଲ ଖେଳି ୨ ଚୌକା ଏବଂ ୨ ଛକା ସହାୟତାରେ ୩୩ ରନ କରି ଆଉଟ ହୋଇଥିଲେ । ସେହିଭଳି ସୌରଭ ତିଓ୍ବାରୀ ୧୫ରନ, କିରନ ପୋଲାର୍ଡ ୬, ହାର୍ଦ୍ଧିକ ପାଣ୍ଡ୍ୟା ୧୭ ରନ, ନାଥାନ୍ କ୍ବିଲ୍ଟର ନାଇଲ୍ ୧ରନ, ଜୟନ୍ତ ଯାଦବ ୧୧ ରନ କରି ଆଉଟ ହୋଇଛନ୍ତି । କ୍ରୁନାଲ ପାଣ୍ଡ୍ୟା ୧୩ ରନ ଏବଂ ଜଶପ୍ରୀତ ବୁମରାହ ୧ ରନ କରି ଅପରାଜିତ ଥିଲେ । ଦିଲ୍ଲୀ କ୍ୟାପିଟାଲ୍ସର ବୋଲରମାନେ ଆରମ୍ଭରୁ ହିଁ ମୁମ୍ବାଇ ବ୍ୟାଟ୍ସମ୍ୟାନମାନଙ୍କୁ ହାତ ଖୋଲା ସଟ୍ ଖେଳିବାକୁ ଦେଇନଥିଲେ । କ୍ୟାପିଟାଲ୍ସର ଶାଣିତ ବୋଲିଂ ସାମ୍ନାରେ ହାରମାନିଥିଲା ମୁମ୍ବାଇ । ଦିଲ୍ଲୀ ପକ୍ଷରୁ ଅବେସ୍ ଖାନ ଏବଂ ଅକ୍ଷର ପଟେଲ ଚମତ୍କାର ବୋଲିଂ କରିଥିଲେ । ଅବେସ୍ ଖାନ ୪ ଓଭରରେ ମାତ୍ର ୧୫ ରନ ଦେଇ ୩ ଟି ଓ୍ବିକେଟ ନେଇଥିବା ବେଳେ ଅକ୍ଷର ପଟେଲ ୪ ଓଭରରେ ୨୧ ରନ ୩ ଓ୍ବିକେଟ ନେଇଥିଲେ । ସେହିଭଳି ଏନ୍ରିଚ୍ ନୋର୍ଟଜେ ମାପିଚୁପି ବୋଲିଂକରି ୪ ଓଭରରେ ୧୯ ରନ ଦେଇ ୧ ଓ୍ବିକେଟ ନେଇଥିବା ବେଳେ, କାଗିସୋ ରାବାଡା ୪ ଓଭରରେ ୩୩ ରନ, ଏବଂ ରବିଚନ୍ଦ୍ରନ ଅଶ୍ବିନ ୪ ଓଭରରେ ୪୧ ରନ ଦେଇ ୧ ଓ୍ବିକେଟ ନେଇଥିଲେ ।
ଅନ୍ୟପକ୍ଷରେ ଆରମ୍ଭ ରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଦଳ ପକ୍ଷରୁ ଓପନିଂ ଯୋଡି ପୃଥ୍ବୀ ସ’ ଏବଂ ଶିଖର ଧାଓ୍ବନ ନିରାଶ କରିଥିଲେ । ପୃଥ୍ବୀ ମାତ୍ର ୬ ରନ କରି ଆଉଟ ହୋଇଥିବା ବେଳେ ଧାଓ୍ବନ ୮ ରନ କରି ଆଉଟ ହୋଇଛନ୍ତି । ସେହିଭଳି ଷ୍ଟେଭ୍ ସ୍ମିଥ୍ ୯ ରନ କରି ଆଉଟ ହୋଇଛନ୍ତି । ପରେ ଋଷଭ ପନ୍ତ ଏବଂ ଶ୍ରେୟସ୍ ଆୟର ପାଳିକୁ ଆଗକୁ ବଢାଇଥିଲେ । ଭଲ ଆରମ୍ଭ କରିଥିଲେ ସୁଦ୍ଧା ଇନିଂସକୁ ବଡ କରିପାରିନାହାନ୍ତି ପନ୍ତ । ୨୨ ବଲ ଖେଳି ୩ ଚୌକା ଏବଂ ୧ ଛକା ସହାୟତାରେ ୨୬ରନ କରି ଆଉଟ ହୋଇଛନ୍ତି । ଅକ୍ଷର ପଟେଲ ୯ ରନ, ସିମ୍ରନ୍ ହେଟମାୟର ୧୫ ରନ କରି ଆଉଟ ହୋଇଛନ୍ତି । ଶ୍ରେୟସ୍ ଆୟର ୩୩ ରନ ଏବଂ ରବିଚନ୍ଦ୍ରନ ଅଶ୍ବିନ ୨୦ ରନ କରି ଅପରାଜିତ ଅଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ବୋଲର ମାନେ ମଧ୍ୟ ଚମତ୍କାର ପ୍ରଦାର୍ଶନ କରିଥିଲେ । ଆରମ୍ଭରୁ ହିଁ ଓ୍ବିକେଟ ନେବାରେ ଏବଂ ଦିଲ୍ଲୀ ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ ମୁମ୍ବାଇ ବୋଲର । ଦଳ ପକ୍ଷରୁ ଜୟନ୍ତ ଯାଦବ ୪ ଓଭରରେ ୩୧ ରନ ଦେଇଥିବା ବେଳେ, ଟ୍ରେଣ୍ଟ ବୋଲ୍ଟ ୪ ଓଭରରେ ୨୪ ରନ ୧ ଓ୍ବିକେଟ, କ୍ରୁନାଲ ପାଣ୍ଡ୍ୟା ୨.୧ ଓଭରରେ ୧୮ ରନ ୧ ଓ୍ବିକେଟ୍, ଜଶପ୍ରୀତ ବୁମରାହ ୪ ଓଭରରେ ୨୯ ରନ ଦେଇ ୧ ଓ୍ବିକେଟ, ନାଥାନ୍ କ୍ବିଲ୍ଟର ନାଇଲ୍ ୪ ଓଭରରେ ୧୯ ରନ ଦେଇ ଗୋଟିଏ ଓ୍ବିକେଟ, କିରନ ପୋଲାର୍ଡ ୧ ଓଭରରେ ୯ ରନ ଦେଇଛନ୍ତି ।
