ଦିଲ୍ଲୀବାସୀଙ୍କ ପାଇଁ ଦୁଃଖ ଖବର : ଏଥର ମଧ୍ୟ ଫୁଟିବନି ବାଣ
ନୂଆଦିଲ୍ଲୀ : ଦିଲ୍ଲୀବାସୀଙ୍କ ପାଇଁ ଦୁଃଖ ଖବର । ଗତବର୍ଷ ଭଳି ଏଥର ମଧ୍ୟ ଦିଲ୍ଲୀରେ ବାଣ ଫୁଟାଯିବ ନାହିଁ । ବାଣ ବିକ୍ରି ଉପରେ ଏଥର ମଧ୍ୟ କେଜ୍ରିୱାଲ ସରକାର କଟକଣା ଜାରି କରିଛନ୍ତି । ସୂଚନା ମୁତାବକ ଦିଲ୍ଲୀରେ ଶୀତ ଋତୁରେ ବଢୁଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଆଦେଶ ମୁତାବକ ବାଣ ବିକ୍ରି ଓ ବ୍ୟବହାରକୁ ନିଷିଦ୍ଧ କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ କରି ଲେଖିଛନ୍ତି ଯେ ଗତ ୩ ବର୍ଷ ଧରି ଦୀପାବଳି ସମୟରେ ଦିଲ୍ଲୀରେ ହେଉଥିବା ପ୍ରଦୂଷଣକୁ ନଜରରେ ରଖି ଗତବର୍ଷ ଭଳି ଏଥର ମଧ୍ୟ ବାଣ ବିକ୍ରି ସହ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି ।
ଅନ୍ୟ ଏକ ଟ୍ୱିଟରେ ସେ ଲେଖିଛନ୍ତି ଯେ ଗତବର୍ଷ କଟକଣା ଲଗାଯିବା ଦ୍ୱାରା ବାଣ ବିକ୍ରି ହୋଇପାରିନଥିଲା ଓ ବ୍ୟବସାୟୀଙ୍କୁ ବହୁତ କ୍ଷତି ହୋଇଥିଲା । ତେଣୁ ଚଳିତବର୍ଷ ବାଣ ରଖନ୍ତୁ ନାହିଁ ବୋଲି ସେ ବ୍ୟବସାୟୀମାନଙ୍କୁ ଅନୁରୋଧ କରିଛନ୍ତି । ସୂଚନା ଯେ, ପ୍ରତିବର୍ଷ ଦୀପାବଳି ସମୟରେ ବାଣ ଫୁଟାଯିବା ଦ୍ୱାରା ଦିଲ୍ଲୀର ପ୍ରଦୂଷଣ ବିପଜ୍ଜନକ ସ୍ତରରେ ପହଞ୍ଚିଥାଏ। ଆଉ ସେଥିପାଇଁ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରାଯାଇଛି, ଯାହା ଦ୍ୱାରା ଲୋକଙ୍କ ଜୀବନ ରକ୍ଷା ହୋଇପାରିବ ।
