ଦିଲ୍ଲୀ ହିଟ୍ ଆଣ୍ଡ୍ ରନ୍ ମାମଲା : ଘଟଣାରେ ୫ ନୁହେଁ ୭ ଜଣ ଥିଲେ ସାମିଲ
ନୂଆଦିଲ୍ଲୀ: ଦିଲ୍ଲୀ ହିଟ୍ ଆଣ୍ଡ୍ ରନ୍ ମାମଲାରେ ଦିଲ୍ଲୀ ପୋଲିସର ଆଉ ଏକ ନୂଆ ଖୁଲାସା । ଦିଲ୍ଲୀ ପୋଲିସର ସ୍ପେଶାଲ କମିଶନର ସାଗରପ୍ରୀତ ହୁଡାଙ୍କ ସୂଚନା ଅନୁଯାୟୀ ଏହି ଘଟଣାରେ ୫ ନୁହେଁ ବରଂ ୭ ଜଣ ସମ୍ପୃକ୍ତ ଅଛନ୍ତି। ପାଞ୍ଚଜଣ ମୁଖ୍ୟ ଅଭିଯୁକ୍ତଙ୍କ ସହ ଆଉ ଦୁଇଜଣ ଲୋକ ମଧ୍ୟ ଏଥିରେ ଜଡିତ ଥିଲେ। ସେମାନେ ପ୍ରମାଣ ନଷ୍ଟ କରିବା ସହ ପାଞ୍ଚ ଅଭିଯୁକ୍ତଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ । ଉଭୟଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀରେ ହୁଡା କହିଛନ୍ତି ଯେ ଦିଲ୍ଲୀ ପୋଲିସର ତଦନ୍ତ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି। ଏହି ମାମଲା ଉପରେ ଆମର ୧୮ଟି ଟିମ୍ କାମ କରୁଛନ୍ତି | ସମସ୍ତ ପାଞ୍ଚଜଣ ଅଭିଯୁକ୍ତ ଆମ ହାଜତରେ ଅଛନ୍ତି। ଆମେ ସେମାନଙ୍କ ବୟାନ ଆଧାରରେ ତଦନ୍ତ କରୁଛୁ | ସେ କହିଛନ୍ତି ଯେ ଅଭିଯୁକ୍ତ ମାନଙ୍କ ବୟାନରେ ବିରୋଧାଭାସ ରହିଛି।
ସେ କହିଛନ୍ତି ଯେ ଆମେ ନୂଆ ସିସିଟିଭି ଫୁଟେଜ ପାଇଛୁ। ଏଯାବତ ୧୬୪ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି। ଅନ୍ୟ ଦୁଇ ଅଭିଯୁକ୍ତ ଆଶୁତୋଷ ଓ ଅଙ୍କୁଷ ଖାନ୍ନା ବୋଲି ଚିହ୍ନଟ ହୋଇଛନ୍ତି । ସ୍ପେଶାଲ ସିପି କହିଛନ୍ତି ଯେ ପ୍ରାରମ୍ଭିକ ପୋଷ୍ଟମର୍ଟମ ରିପୋର୍ଟରେ କିଛି ପ୍ରମାଣ ମିଳିଛି, କିନ୍ତୁ ଆମେ ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରିଛୁ।
