ପ୍ରତିରକ୍ଷା ଅଳଙ୍କରଣ ସମାରୋହ : ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ବୀର ଚକ୍ର
ନୂଆଦିଲ୍ଲୀ : ବୀର ଚକ୍ର ସମ୍ମାନରେ ସମ୍ମାନୀତ ହେଲେ ଭାରତୀୟ ବାୟୁସେନାର ଗ୍ରୁପ୍ କାପ୍ଟେନ ଅଭିନନ୍ଦନ ବର୍ତ୍ତମାନ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରିଛନ୍ତି । ବାଲାକୋଟ ଷ୍ଟ୍ରାଇକ ପାଇଁ ଅଭିନନ୍ଦନ ବର୍ତ୍ତମାନଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି । ଅଭିନନ୍ଦନ ବାଲାକୋଟ ଏୟାରଷ୍ଟ୍ରାଇକ ପରେ ପାକିସ୍ତାନର ଏଫ-୧୬ କୁ ତଳକୁ ଖସାଇଥିଲେ । ୨୭ ଫେବୃଆରୀ ୨୦୧୯ ରେ ଭାରତୀୟ ସୀମାରେ ଆକ୍ରମଣ କରିବା ଉଦ୍ଦେଶ୍ୟରେ ପସିଥିବା ପାକିସ୍ତାନ ବାୟୁସେନାର ବିମାନକୁ ଭାରତୀୟ ବାୟୁସେନା ଚ୍ୟାଲେଞ୍ଜ କରିଥିଲା । ଏହି ଅବସରରେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ତାଙ୍କ ମିଗ୍-୨୧ ରୁ ପାକିସ୍ତାନ ର ଏଫ-୧୬ ଫାଇଟର ଏୟାରକ୍ରାଫ୍ଟକୁ ତଳକୁ ଖସାଇଥିଲେ । ପାକିସ୍ତାନୀ ଫାଇଟରକୁ ଗୋଡାଇ ଗୋଡାଇ ପାକିସ୍ତାନ ସୀମାରେ ପ୍ରବେଶ କରିଯାଇଥିଲେ ଅଭିନନ୍ଦନ । ସେଠାରେ ତାଙ୍କୁ ପାକିସ୍ତାନୀ ସେନା ଧରି ପକାଇଥିଲେ ।
ସୋମବାର ରାଷ୍ଟ୍ରପତି ଭବନରେ ପ୍ରତିରକ୍ଷା ଅଳଙ୍କରଣ ସମାରୋହ ଆୟୋଜିତ ହୋଇଯାଇଛି। ଏଥିରେ ଦେଶର ସୁରକ୍ଷା ପାଇଁ ଅଦମ୍ୟ ସାହସ ପ୍ରଦର୍ଶନ କରିଥିବା ସୈନିକଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନିତ କରିଛନ୍ତି। ବାୟୁସେନା ଗ୍ରୁପ୍ କ୍ୟାପଟେନ ଅଭିନନ୍ଦନ ବର୍ତ୍ତମାନଙ୍କୁ ବୀର ଚକ୍ର ପ୍ରଦାନ କରାଯାଇଛି। ଅନ୍ୟ ସମ୍ମାନୀତ ଯବାନଙ୍କ ମଧ୍ୟରେ ଜଣେ ଓଡିଆ ବାୟୁସେନା ଅଧିକରୀ ମଧ୍ୟ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ଅଂଶଗ୍ରହଣ କରିଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର (ବର୍ତ୍ତମାନ ଗ୍ରୁପ୍ କ୍ୟାପଟେନ) ଅଭିନନ୍ଦନ ବର୍ତ୍ତମାନଙ୍କୁ ବୀର ଚକ୍ର ପ୍ରଦାନ କରିଛନ୍ତି। ୨୦୧୯ ଫେବୃଆରୀ ୨୭ରେ ପାକିସ୍ତାନ ବାୟୁସେନାର ଏକ ଏଫ-୧୬ ଯୁଦ୍ଧ ବିମାନକୁ ଗୁଳି କରି ଖସାଇଥିବାରୁ ଅଭିନ୍ଦନଙ୍କୁ ପୁରସ୍କୃତ କରାଯାଇଛି। ଏହା ପରେ ସେ ତିନି ଦିନ ଧରି ପାକିସ୍ତାନର ରିମାଣ୍ଡରେ ଥିଲେ। ବୀରତା ପୁରସ୍କାର ସମାରୋହରେ ଭାରତୀୟ ସେନାର ଅନେକ ସାହସୀଙ୍କୁ ଗାଲାଣ୍ଟ୍ରି ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କୁ ହତ୍ୟା କରିଥିବାରୁ ସାପର ପ୍ରକାଶ ଯାଦବଙ୍କୁ ମରଣତ୍ତୋର କିର୍ତ୍ତୀ ଚକ୍ର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ତାଙ୍କ ପତ୍ନୀ ଏବଂ ମାତାଙ୍କୁ ପ୍ରଦାନ କରିଛନ୍ତି। ଏହାବାଦ ନାୟକ ସୁବେଦାର ସୋମବୀରଙ୍କୁ ମଧ୍ୟ ମରଣତ୍ତୋର ଶୌର୍ଯ୍ୟ ଚକ୍ରରେ ସମ୍ମାନୀତ କରାଯାଇଥିଲା। ସେହପରି ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ଶହୀଦ ମେଜର ବିଭୁତି ଶଙ୍କର ଢୋଣ୍ଡିଆଲଙ୍କୁ ଶୌର୍ଯ୍ୟ ଚକ୍ରରେ ପୁରସ୍କୃତ କରାଯାଇଥିଲା। ଶହୀଦ ବିଭୂତିଙ୍କ ପତ୍ନୀ ଲେଫ୍ଟିନେଣ୍ଟ ନିତିକା କୌଲ ଏବଂ ମାତା, ରାଷ୍ଟ୍ରପତି କୋବିନ୍ଦଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଲେଫ୍ଚନେଣ୍ଚ ଜେନେରାଲ ହରପାଲ ଓ ଭାଇସ ଆଡମିରାଲ ଅନିଲ ଚାୱଲାଙ୍କୁ ପରମ ବିଶିଷ୍ଟ ସେବା ମେଡାଲରେ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି। ଓଡିଆ ବାୟୁସେନା ଅଧିକାରୀ ଏୟାର ମାର୍ସାଲ ଦିଲ୍ଲୀପ ପଟ୍ଟନାୟକଙ୍କୁ ଅତି ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଯାଇଛି।
