ଟି୨୦ ବିଶ୍ବକପରୁ ବାଦ୍ ପଡିଲେ ଦୀପକ ଚହର, ଅଷ୍ଟ୍ରେଲିଆ ଯିବେ ସିରାଜ, ଶାମି ଓ ଶାର୍ଦ୍ଦୁଲ
ନୂଆଦିଲ୍ଲୀ : ଟି-୨୦ ବିଶ୍ବକପ୍ ପୂର୍ବରୁ ଭାରତକୁ ଆଉ ଏକ ଝଟକା ଲାଗିଛି । ପିଠି ଆଘାତ ଯୋଗୁଁ ଦ୍ରୁତ ବୋଲର ଦୀପକ ଚହର ଏହି ମେଗା ଇଭେଣ୍ଟରୁ ବାଦ୍ ପଡିଛନ୍ତି । ବିଶ୍ବକପ୍ ପାଇଁ ଚହର ଜଣେ ଷ୍ଟାଣ୍ଡବାଇ ଖେଳାଳି ଥିଲେ ଏବଂ ଯଶପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତିରେ ତାଙ୍କୁ ମୁଖ୍ୟ ଦଳରେ ସାମିଲ କରାଯିବ ବୋଲି ମନେ କରାଯାଉଥିଲା । କିନ୍ତୁ ତାଙ୍କ ପିଠିରେ ଆଘାତ ଭଲ ହେବା ପାଇଁ କିଛି ସମୟ ଲାଗିବ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ପେସ୍ ବୋଲର ମହମ୍ମଦ ସିରାଜ, ମହମ୍ମଦ ଶାମି ଏବଂ ଶାର୍ଦ୍ଦୁଲ ଠାକୁର ଖୁବ ଶୀଘ୍ର ଅଷ୍ଟ୍ରେଲିଆରେ ଭାରତୀୟ ଦଳ ସହ ଯୋଗଦେବେ ।
ବିସିସିଆଇର ଜଣେ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ଫିଟ୍ ହେବା ପାଇଁ ଦୀପକ କିଛି ସମୟ ନେବେ। ପୁଣିଥରେ ତାଙ୍କ ପିଠି ଯନ୍ତ୍ରଣା ଦେଖାଦେଇଛି | ତାଙ୍କ ଗୋଡ ଭଲ ଅଛି ଏବଂ ଏଥିରେ କୌଣସି ଅସୁବିଧା ନାହିଁ | ସେଥିପାଇଁ ବିସିସିଆଇ ତିନି ଖେଳାଳି ମହମ୍ମଦ ଶାମି, ମହମ୍ମଦ ସିରାଜ ଏବଂ ଶାର୍ଦ୍ଦୁଲ ଠାକୁରଙ୍କୁ ଅଷ୍ଟ୍ରେଲିଆ ପଠାଉଛି। ଚହର ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ସ୍ଥାନ ପାଇଥିଲେ କିନ୍ତୁ ପିଠି ଯନ୍ତ୍ରଣା ଭଲ ହୋଇଥିବାରୁ ଦିନିକିଆ ସିରିଜରୁ ବଞ୍ଚିତ ହୋଇଥିଲେ। ସେ ଚିକିତ୍ସା ପାଇଁ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) କୁ ଯାଇଥିଲେ।
ଅକ୍ଟୋବର ୧୫ ପର୍ଯ୍ୟନ୍ତ ଯଶପ୍ରୀତ ବୁମ୍ରାଙ୍କ ସ୍ଥାନରେ ଜଣେ ନୂଆ ଖେଳାଳି ବାଛିବା ପାଇଁ ସମୟ ଅଛି । ତେଣୁ ଟିମ୍ ମ୍ୟାନେଜମେଣ୍ଟ ଏହି ତିନି ଦ୍ରୁତ ବୋଲରଙ୍କ ଫିଟନେସକୁ ଆକଳନ କରିବାକୁ ଚାହୁଁଛି । ସଠିକ୍ ସମୟରେ ଅଷ୍ଟ୍ରେଲିଆରେ ପହଞ୍ଚିଲେ ସେମାନଙ୍କୁ ସେଠାକାର ପରିବେଶ ସହ ଖାପ ଖୁଆଇବାରେ ସହାୟକ ହେବ ଏବଂ ଆବଶ୍ୟକତା ସ୍ଥଳେ ସେମାନେ ଖେଳିବା ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ । ତାଙ୍କ ଅଭିଜ୍ଞତା କାରଣରୁ ଦଳରେ ସ୍ଥାନ ପାଇବା ପାଇଁ ଶାମି ଜଣେ ବଡ଼ ଦାବିଦାର । କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସଦ୍ୟ ସମାପ୍ତ ହୋଇଥିବା ଦିନିକିଆ ସିରିଜରେ ସିରାଜ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ । ଏହାଛଡ଼ା ତାଙ୍କୁ ପ୍ଲେୟାର ଅଫ୍ ଦି ସିରିଜ୍ ପୁରସ୍କାର ମିଳିଥିଲା । ତିନି ମ୍ୟାଚରେ ସିରାଜ ପାଞ୍ଚଟି ୱିକେଟ୍ ନେଇଥିଲେ। ଏଥିମଧ୍ୟରୁ ରାଞ୍ଚିରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ସେ ୩ଟି ୱିକେଟ୍ ନେଇଥିଲେ। ଶାର୍ଦ୍ଦୁଲ ମଧ୍ୟ ନିଜ ଅଲରାଉଣ୍ଡ ଦକ୍ଷତା ଯୋଗୁଁ ଅନ୍ୟତମ ଦାବିଦାର ଭାବେ ଉଭା ହୋଇଛନ୍ତି । କିନ୍ତୁ ସେ ଷ୍ଟାଣ୍ଡବାଇ ତାଲିକାରେ ରହିବାର ସମ୍ଭାବନା ଅଛି। ରବି ବିଷ୍ଣୋଇ ଏବଂ ଶ୍ରେୟସ୍ ଆୟର ବର୍ତ୍ତମାନ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବାର ସମ୍ଭାବନା ନାହିଁ।
