ଜିଲ୍ଲାରେ ଉନ୍ନତ ସ୍ୱାସ୍ଥ୍ୟସେବା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜନସଚେତନତା ପଦଯାତ୍ରା ନିଷ୍ପତ୍ତି
ବାଲେଶ୍ୱର : ମେଡିକାଲ କଲେଜ୍ କ୍ରିୟାନୁଷ୍ଠାନ କମିଟିର ଏକ ବିଶେଷ ଅଧିବେଶନରେ ଜିଲ୍ଲାର ସ୍ୱାସ୍ଥ୍ୟସେବା ସଂପର୍କୀତ ସମସ୍ୟାଗୁଡ଼ିକର ସମାଧାନ ଦାବିରେ ଚନ୍ଦନେଶ୍ୱରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଏକ ପଦଯାତ୍ରା ପାଇଁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁରୀପ୍ରାପ୍ତ ସ୍ୱାସ୍ଥ୍ୟସେବା ପ୍ରକଳ୍ପଗୁଡ଼ିକ ସଠିକ୍ ସମୟରେ କାର୍ଯ୍ୟକାରୀ ହେଉନଥିବାର କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଛି । ଆସନ୍ତା ନଭେମ୍ବର ମାସରେ ସମସ୍ତ ଆଞ୍ଚଳିକ ସମ୍ମିଳନୀ ଓ ଜିଲ୍ଲାସ୍ତରୀୟ ସାଂଗଠନିକ ସମ୍ମିଳନୀରେ ଏହି ପଦଯାତ୍ରା ପାଇଁ ଚୁଡ଼ାନ୍ତ କାର୍ଯ୍ୟସୂଚୀ ଗୃହୀତ ହେବ । ସମଗ୍ର ରାଜ୍ୟରେ ରକ୍ତଚାପ ଓ କେତେକ ଜୀବନରକ୍ଷାକାରୀ ନକଲି ଔଷଧ ବିକ୍ରି ହେଉଥିବାରୁ କ୍ରିୟାନୁଷ୍ଠାନ କମିଟି ଉଦ୍ବେଗ ପ୍ରକାଶ କରିଛି । ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଏହି ନକଲି ଔଷଧ ବିକ୍ରି ହେଉଥିବା ଆଶଙ୍କା ସଂପର୍କରେ ଡ୍ରଗ୍ସ ଇନିସ୍ପେକ୍ଟର ଓ ଜିଲ୍ଲାପାଳଙ୍କୁ ଲିଖିତଭାବେ ଅଭିଯୋଗପତ୍ର ଦେବାକୁ ଏହି ଅଧିବେଶନରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଅନ୍ୟପକ୍ଷରେ ସ୍ୱାସ୍ଥ୍ୟସଚିବ ସମସ୍ତ ଜିଲ୍ଲାପାଳ ଓ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିଠି ଲେଖି ରୋଗୀମାନଙ୍କ ନିରାପତ୍ତା ପାଇଁ ଦେଇଥିବା ନିର୍ଦ୍ଦେଶକୁ ସ୍ୱାଗତ କରାଯାଇଛି । କେତେକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଅବହେଳାରୁ ଚିକିତ୍ସାଧୀନ ରୋଗୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାରୁ କର୍ତ୍ତବ୍ୟରେ ଅବହେଳା କରୁଥିବା ଡାକ୍ତର ଓ କର୍ମଚାରୀଙ୍କ ବିରୁଦ୍ଧରେ ସ୍ୱାସ୍ଥ୍ୟସଚିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କ୍ରିୟାନୁଷ୍ଠାନ କମିଟି ଦାବି କରିଛି । କମିଟିର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ସଭାପତି ମମତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ତଥା ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ଅମିତ ବେହେରା ଓ ବହୁଜନ ଆନ୍ଦୋଳନର ନେତା ଏମ୍.କେ.ଡି. ମଜୁମଦାରଙ୍କର ବାଲେଶ୍ୱରରେ ସରକାରୀ ମେଡିକାଲ୍ କଲେଜ୍ ପ୍ରତିଷ୍ଠାନରେ ସେମାନଙ୍କ ଅବଦାନକୁ ସ୍ମରଣ କରି ସେମାନଙ୍କ ଅକାଳ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ସାଧାରଣ ସଂପାଦକ ପ୍ରଦୀପ ଦାସ ବିବରଣୀ ଉପସ୍ଥାପିତ କରିଥିବାବେଳେ କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ ଆୟବ୍ୟୟର ବିବରଣୀ ପାଠ କରିଥିଲେ । କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ାଙ୍କ ସମେତ ପ୍ରଭାକର ସାହୁ, ନିରଞ୍ଜନ ରାଉତ, ଗୌରାଙ୍ଗ ପାଣିଗ୍ରାହୀ, ଡ. କେଶବ ଚରଣ ପଣ୍ଡା, ଡାକ୍ତର ତାରାକାନ୍ତ ନନ୍ଦ, ଅକ୍ଷୟ କୁମାର ତ୍ରିପାଠୀ, ରମେଶ ଚନ୍ଦ୍ର ଜେନା, ଡ. କ୍ଷିତିଶ୍ୱର ଦାଶ, ଯଶୋଦାନନ୍ଦନ ଆଶ, ଶଶାଙ୍କ ଦତ୍ତ, ଯୋଗେଶ ଚନ୍ଦ୍ର ପ୍ରଧାନ, ରବିନାରାୟଣ ଭୋଳ, ଯୋଗେନ୍ଦ୍ର ମାହାର୍ଣ୍ଣା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସୀତାରାମ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ସଦୟ ପ୍ରକାଶନ ପାଇଁ ନିବେଦନ
