ସିବିଏସଇ ଦ୍ୱାଦଶ ଫଳାଫଳ ଚୂଡ଼ାନ୍ତ ପାଇଁ ଶେଷ ତାରିଖ ବୃଦ୍ଧି
ନୂଆଦିଲ୍ଲୀ : ସିବିଏସଇ ବିଦ୍ୟାଳୟଗୁଡିକ ପାଇଁ ଜୁଲାଇ ୨୨ ରୁ ଜୁଲାଇ ୨୫ ପର୍ଯ୍ୟନ୍ତ ଦ୍ୱାଦଶ ଫଳାଫଳ ଚୂଡ଼ାନ୍ତ କରିବା ପାଇଁ ଶେଷ ତାରିଖ ବୃଦ୍ଧି କରାଯାଇଛି। ଏହା ସହିତ ଅଗଷ୍ଟ ୧୬ ରୁ ସେପ୍ଟେମ୍ବର ୧୫ ମଧ୍ୟରେ ବେସରକାରୀ ପ୍ରାର୍ଥୀଙ୍କ ପାଇଁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ ବୋଲି ବୋର୍ଡ ଘୋଷଣା କରିଛି। ଏନେଇ କଣ୍ଟ୍ରୋଲର ଅଫ୍ ପରୀକ୍ଷା ବିଭାଗ ପକ୍ଷରୁ ଡ. ସାନ୍ୟମ୍ ଭରଦ୍ୱାଜ ସୂଚନା ଦେଇଛନ୍ତି।
ଫଳାଫଳ ଚୂଡ଼ାନ୍ତ କରିବାକୁ ଶେଷ ତାରିଖ ପୂର୍ବରୁ ସିବିଏସ୍ଇ ସ୍କୁଲ୍ ପ୍ରଧାନଶିକ୍ଷକଙ୍କୁ ଲେଖିଥିବା ଏକ ଚିଠିରେ ଡ. ଭରଦ୍ୱାଜ ଉଲ୍ଲେଖ କରିଛନ୍ତି ଯେ “ସମ୍ପୃକ୍ତ ଶିକ୍ଷକମାନେ ଚାପଗ୍ରସ୍ତ ହେଉଛନ୍ତି, ଭୟଭୀତ ହୋଇ ଭୁଲ୍ କରୁଛନ୍ତି ଏବଂ ଏସବୁ ସଂଶୋଧନ ପାଇଁ ସିବିଏସ୍ଇକୁ ଅନୁରୋଧ ପଠାଉଛନ୍ତି।” ଏହି ସମସ୍ୟାଗୁଡିକୁ ଦୃଷ୍ଟିରେ ରଖି ବୋର୍ଡ ସମୟସୀମାକୁ ଜୁଲାଇ ୨୫ ସଂନ୍ଧ୍ୟା ୫ ଟା ପର୍ୟ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ବୋର୍ଡ ପକ୍ଷରୁ ଅନୁରୋଧ କରାଯାଇଛି ଯେ ବିଦ୍ୟାଳୟଗୁଡ଼ିକ ଧାର୍ଯ୍ୟ ତାରିଖ ଭିତରେ କାର୍ଯ୍ୟ ସମାପ୍ତ କରିବା ପାଇଁ ଫଳାଫଳ ସଂକଳନ ଦିଗରେ କାର୍ଯ୍ୟ ଜାରି ରଖିପାରନ୍ତି। ଯଦି କୌଣସି ବିଦ୍ୟାଳୟ ଫଳାଫଳ ନିର୍ଣ୍ଣୟ କରିବା ପାଇଁ ବିଳମ୍ବ କରନ୍ତି, ତେବେ ଏହିପରି ବିଦ୍ୟାଳୟଗୁଡିକର ଫଳାଫଳ ପୃଥକ ଭାବରେ ଘୋଷଣା କରାଯିବ ବୋଲି ଚିଠିରେ ଦର୍ଶାଯାଇଛି। ଜୁଲାଇ ୩୧ ସୁଦ୍ଧା ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯିବ ବୋଲି ପୁର୍ବରୁ ସିବିଏସ୍ଇ କହିଛି।
