କୂଅରୁ ମିଳିଲା ଅବସରପ୍ରାପ୍ତ ଯବାନଙ୍କ ମୃତଦେହ
ଯାଜପୁର : ଦଶରଥପୁର ବ୍ଲକ୍ ବିରିପଟା ଗ୍ରାମର ଅବସରପ୍ରାପ୍ତ ଯବାନ ଶଶୀଭୂଷଣ ସ୍ୱାଇଁଙ୍କର ମୃତଦେହ ଘର ନିକଟରେ ଥିବା କୂଅରୁ ଉଦ୍ଧାର କରାଯାଇଛି । ଶୁକ୍ରବାର ବିଳମ୍ବିତ ରାତ୍ରିରେ ସ୍ୱର୍ଗତ ସ୍ୱାଇଁ କୂଅରେ ପଡ଼ି ମୃତ୍ୟୁବରଣ କରିଥିବାର ଜଣାପଡ଼ିଛି । ସୂଚନା ମୁତାବକ ସ୍ୱର୍ଗତଃ ସ୍ୱାଇଁ ଭାରତୀୟ ସୈନ୍ୟବାହିନୀରେ ସଫଳତାର ସହ ସେନା ଅଧିକାରୀ ଭାବେ କାର୍ଯ୍ୟକରି ଚାକିରୀରୁ ଅବସର ନେବାପରେ ନିଜ ଗ୍ରାମ ବିରିପଟାରେ ରହିଆସୁଥିଲେ । ସେ ବିରିପଟାରେ ରହୁଥିବାବେଳେ ତାଙ୍କ ପରିବାର ଲୋକେ ଯାଜପୁର ସହରରେ ରହୁଥିଲେ । ଶୁକ୍ରବାର ରାତିରେ ସେ ଘରେ ଏକୁଟିଆ ଥିବାବେଳେ କୌଣସି କାରଣବଶତଃ କିପରି କୂଅ ଭିତରେ ପଡ଼ିଲେ ତାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ତାଙ୍କର ଜଣେ ପଡ଼ୋଶୀ ସମ୍ପର୍କୀୟ ଶ୍ରୀ ସ୍ୱାଇଁଙ୍କ ଗାଈଗୁଡ଼ିକ ଗୁହାଳେ ବନ୍ଧା ହୋଇନଥିବା ଦେଖି ତାଙ୍କୁ ଡାକ ପକାଇଥିଲେ । ଏହା ମଧ୍ୟରେ ଘର ଭିତରୁ କୌଣସି ପ୍ରତି ଉତ୍ତର ନମିଳିବାରୁ ଶ୍ରୀ ସ୍ୱାଇଁ କେଉଁ ଆଡ଼େ ଯାଇଛନ୍ତି ଭାବି ପଡୋଶୀ ସମ୍ପର୍କୀୟ ଜଣକ ତାଙ୍କ ବାସଭବନ, ବାଡ଼ି, ଦାଣ୍ଡ ସମେତ ସ୍ଥାନୀୟ ଅଞ୍ଚଳରେ ଶ୍ରୀ ସ୍ୱାଇଁଙ୍କୁ ଖୋଜିଥିଲେ । ଏହି ସମୟରେ ଶ୍ରୀ ସ୍ୱାଇଁ ବାଡ଼ିପଟ କୂଅରେ ପଡ଼ିଥିବା ଦେଖିବାକୁ ପାଇ ପଡୋଶୀଙ୍କୁ ଡାକ ପକାଇବା ସହିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଦଶରଥପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି କୂଅ ଭିତରୁ ସ୍ୱର୍ଗତଃ ସ୍ୱାଇଁଙ୍କୁ ଉଦ୍ଧାର କରି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ମଙ୍ଗଳପୁର ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।
