ଛୁଆ ହାତୀର ମୃତ ଦେହ ଉଦ୍ଧାର
ଭଞ୍ଜନଗର: ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡ଼ା ରେଞ୍ଜରେ ଏକ ଛୁଆ ହାତୀର ମୃତ ଦେହ ରବିବାର ସକାଳୁ ଠାବ କରାଯାଇଛି। ପାଙ୍ଗିଡି ପଞ୍ଚାୟତର ବେଲପଡା ଗାଁ ନିକଟ ଏକ ଧାନ ବିଲରେ ହାତୀ ଛୁଆଟି ମରି ପଡ଼ିଛି। ତା’ର ଶୁଣ୍ଢ କଟି ରକ୍ତାକ୍ତ ହୋଇ ଯାଇଛି। ଏଣୁ ବିଦ୍ୟୁତ୍ ତାର କିମ୍ବା ବାରହା ଫାସରେ ଲାଗି ତା’ର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।
ହାତୀ ଛୁଆଟି ଏକାକୀ ଥିବା ବେଳେ ନୟାଗଡ଼ ପଟୁ ବୁଗୁଡ଼ା ଅଞ୍ଚଳକୁ ଖାଦ୍ୟ ଅନ୍ବେଷଣରେ ଆସିଥିବା ଅନୁମାନ କରୁଛି ବନ ବିଭାଗ। ଶନିବାର ରାତିରେ ଏହି ଘଟଣା ଘଟିଥିବା ବେଳେ ଆଜି ସକାଳେ ସ୍ଥାନୀୟ ଲୋକେ ମଲା ହାତୀ ଛୁଆକୁ ଦେଖିଥିଲେ। ଗତ ବର୍ଷକ ମଧ୍ୟରେ ଘୁମୁସର ବନଖଣ୍ଡରେ ଏହା ଚତୁର୍ଥ ହାତୀ ସୁତ୍ରରୁ ବୋଲି କୁହାଯାଉଛି।
