ଦଶରଥପୁର ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ଯାଜପୁର : ଦଶରଥପୁର ବ୍ଲକ ସଭା ଗୃହରେ ଯୁଗ୍ମ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର, ଏହି ଶିବିରରେ ଅଧ୍ୟକ୍ଷତା କରିବା ସହ କହିଲେ ଯେ ଅଭିଯୋଗ ଶୁଣାଣି ପ୍ରକ୍ରିୟା ହେଉଛି ପ୍ରଶାସନର ଅଂଶ ବିଶେଷ । ନ୍ୟାୟିକ ବ୍ୟବସ୍ଥାରେ ଲୋକମାନଙ୍କ ଅଧିକାରକୁ ପ୍ରାଧାନ୍ୟ ଦେବା ଏବଂ ସେମାନଙ୍କର ସମସ୍ୟା କିମ୍ବା ଅଭିଯୋଗ ଗୁଡିକୁ ତ୍ୱରିତ ସମାଧାନ କରି ପରିଚାଳନାରେ ସ୍ଥିରତା, ସ୍ୱଚ୍ଛତା ଆଣିବା ଏହି ଶିବିରର ଆଭିମୁଖ୍ୟ । ଫଳରେ ପ୍ରଶାସନ ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ହେବା ସହ ଏକ ଦକ୍ଷ ଓ ପ୍ରଭାବଶାଳୀ ଅଭିଯୋଗ ସମାଧାନ ପ୍ରଣାଳୀ ପ୍ରତିଷ୍ଠା ହୋଇ ପାରିବ । ଶିବିରରେ ଆବାସ ଯୋଜନା, ଚିକିତ୍ସା ସହାୟତା, ଭତ୍ତା ପ୍ରଦାନ, ଜଳ ଯୋଗାଣ, ଜମି ଜମା ସମ୍ବନ୍ଧୀୟ ଅଭିଯୋଗ ପଞ୍ଜିକୃତ ହୋଇଥିଲେ । ଶୁଣାଣିରେ ମୋଟ ୩୦ଟି ଅଭିଯୋଗ ମଧ୍ୟରୁ ୨୨ ଗୋଟି ବ୍ୟକ୍ତିଗତ ଓ ୮ ଗୋଟି ସାମୁହିକ ଆବେଦନ ପତ୍ର ମିଳିଥିଲା । ତନ୍ମଧ୍ୟରୁ ରେଡ୍କ୍ରସ ସହାୟତା ପାଇଁ ୨ ଗୋଟି ଆବେଦନ ଥିବା ବେଳେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ପାଇଁ ୩ ଗୋଟି ଆବେଦନର ଶୁଣାଣୀ ହୋଇଥିଲା । ତତ୍କାଳ ୧୫ ଗୋଟି ଆବେଦନର ସମାଧାନ କରାଯାଇଥିଲା । ଅବଶିଷ୍ଟ ଅଭିଯୋଗର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର, ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମର ବେହୁରିଆ, ଏଡିପିଓ ସରୋଜ କୁମାର ଉପାଧ୍ୟାୟ ଅଭିଯୋଗ ପ୍ରକୋଷ୍ଠ ଅଧିକାରିଣୀ ତିଳୋତମା ପୃଷ୍ଟି, ଦଶରଥପୁର ବିଡିଓ ଶ୍ୱେତା ସ୍ନିଗ୍ଧା, ତହସିଲଦାର ଅବିନାଶ ବିଶ୍ୱଜିତ ସେଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର କୁମାର ବେହେରା, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ଜିଲ୍ଲା ଯୋଗାଣ ଅଧିକାରୀ ସଲ୍ଲା ଉଦ୍ଦିନ ଖାନ, ଜିଲ୍ଲା ଶିକ୍ଷାଧିକାରୀ ରଂଜନ କୁମାର ଗିରି ଏବଂ ବ୍ଲକ ସ୍ତରୀୟ ଅଧିକାରୀ ଓ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।
