ଆଜିଠୁ ଥରିବ ଓଡ଼ିଶା, ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡ଼ି
ଭୁବନେଶ୍ୱର : ରାଜ୍ୟରେ ବଢ଼ିବାରେ ଲାଗିଛି ଶୀତ ପ୍ରକୋପ। ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ଲଗାତାର ପ୍ରବାହିତ ହେବାରେ ଲାଗିଛି। ଏହି ବାୟୁ ଧୀରେଧୀରେ ଅଧିକ ଶକ୍ତିଶାଳୀ ହେଉଥିବାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଆଜିଠାରୁ ଆହୁରି ତଳକୁ ଖସିବା ସହ ଶୀତର ପ୍ରକୋପ ବଢ଼ିବ। ବୁଧବାର ରାତିରେ ରାଜ୍ୟର ୨୨ଟି ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରି ତଳେ ରେକର୍ଡ ହୋଇଛି। ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ପ୍ର କୋପ ଆହୁରି ବଢ଼ିବ।
ଅନ୍ୟପକ୍ଷରେ ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ଦାରିଙ୍ଗବାଡ଼ି ରେକର୍ଡ କରିଥିବା ବେଳେ ଏଠାରେ ରାତିର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି ତଳକୁ ଖସିଛି। ବୁଧବାର ଏଠାରେ ରାତି ତାପମାତ୍ରା ୭.୫ ଡିଗ୍ରି ରହିଥିଲା। ତେବେ ଗୁରୁବାର ସନ୍ଧ୍ୟାରେ ଶୀତର ପ୍ରକୋପ ଅଧିକ ଅନୁଭୂତ ହେଉଛି। ସନ୍ଧ୍ୟା ନଇଁବା ପରେ ବଜାରଘାଟ ଜନଶୂନ୍ୟ ହୋଇଯାଇଛି। ସେହିପରି ଘୁ.ଉଦୟଗିରିରେ ମଧ୍ୟ ଆଜି ପାରଦ ଖସି ୭.୮ ଡିଗ୍ରି ସେଲ୍ସିୟସ୍ରେ ପହଞ୍ଚିଥିଲା। ଫଳରେ ସାରା ଅଞ୍ଚଳରେ ଶୀତର ପ୍ରକୋପ ଲାଗି ରହିଛି। ସକାଳ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ପଡ଼ୁଥିବାରୁ ରାସ୍ତାଘାଟ ଦୃଶ୍ୟମାନ ହେଉନାହିଁ। ଯାନବାହନ ଚଳାଚଳ କଷ୍ଟକର ହେଉଛି। ଶୀତ ଲହରିରୁ ରକ୍ଷା ପାଇବାକୁ ଲୋକେ ନିଆଁ ଲଗାଇ ବସୁଥିବା ଦେଖିବାକୁ ମିଳିଛି। ଏଥିସହ ଫୁଲବାଣୀଠାରେ ମଧ୍ୟ ରାତିର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରି ରେକର୍ଡ ହୋଇଛି। ତେବେ wଆସନ୍ତା ୨ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ ଓ ଶୀତ ପ୍ରକୋପ ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏଣୁ ସଂଧ୍ୟା ପରେ ବିନା ଶୀତ ବସ୍ତ୍ରରେ ବାହାରକୁ ନ ବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସୂଚନା ଦିଆଯାଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ତଥ୍ୟ କହୁଛି ଯେ ଗତ ୨୪ ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ୧.୫ ଡିଗ୍ରିରୁ ୩ ଡିଗ୍ରି ଯାଏ ତଳକୁ ଖସିଥିବା ବେଳେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୦.୨ ଡିଗ୍ରିରୁ ୨ ଡିଗ୍ରି ଯାଏ ପାରଦ ତଳକୁ ଖସିଛି। ସେହିଭଳି ଉପକୂଳ ଓଡ଼ିଶାରେ ୦.୨ ଡିଗ୍ରିରୁ ୧.୩ ଡିଗ୍ରି ପର୍ଯ୍ୟନ୍ତ ରାତି ତାପମାତ୍ରା ତଳକୁ ଖସିଛି। ଦାରିଙ୍ଗବାଡ଼ି ଓ ଫୁଲବାଣୀ ଛଡ଼ା କେନ୍ଦୁଝରରେ ୧୦.୪ ଡିଗ୍ରି, ଝାରସୁଗୁଡ଼ାରେ ୧୦.୬ ଡିଗ୍ରି, କୋରାପୁଟରେ ୧୦.୬ ଡିଗ୍ରି, ଟିଟିଲାଗଡ଼ରେ ୧୦.୮ ଡିଗ୍ରି, ଭବାନୀପାଟଣାରେ ୧୧.୦ ଡିଗ୍ରି, ସୁନ୍ଦରଗଡ଼ରେ ୧୧.୫ ଡିଗ୍ରି, ତାଳଚେରରେ ୧୨ ଡିଗ୍ରି ଓ ଅନୁଗୁଳରେ ୧୨.୬ ଡିଗ୍ରି ଲେଖାଏ ରାତି ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ବରରେ ରାତ୍ରି ତାପମାତ୍ରା ୧୪.୪ ଡିଗ୍ରି ଓ କଟକଠାରେ ୧୪ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତାକାଲି ମଧ୍ୟ ଦ୍ବୈତନଗରୀରେ ଏହି ତାପମାତ୍ରା ଜାରି ରହିବ। ଏଥିସହ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିବ।
