ଡେମ ସେଫଟି ବିଲ ରାଜ୍ୟସଭାରେ ପାରିତ
New Delhi, Dec 02 (ANI): Union Minister of Jal Shakti Gajendra Singh Shekhawat speaks in Lok Sabha during the Winter Session of Parliament, in New Delhi on Thursday. (ANI Photo/ SansadTV)
ନୂଆଦିଲ୍ଲୀ : ଦେଶର ସମସ୍ତ ନଦୀବନ୍ଧର ତଦାରଖ, ଯାଞ୍ଚ, କାର୍ଯ୍ୟ ପରିଚାଳନା ତଥା ରକ୍ଷଣାବେକ୍ଷଣ ତଥା ଡ୍ୟାମ ସୁରକ୍ଷା ଉପରେ ଜାତୀୟ କମିଟି ଗଠନ ନେଇ ଡେମ ସେଫଟି ବିଲ ରାଜ୍ୟସଭାରେ ପାରିତ ହୋଇଛି । ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖଓ୍ବତ ବିଲକୁ ଆଗତ କରିଥିଲେ । ତେବେ ପ୍ରଥମେ ଚର୍ଚ୍ଚା, ମନ୍ତ୍ରୀଙ୍କ ଉତ୍ତର ପରେ ଭୋଟିଂ ପ୍ରକ୍ରିୟାରେ ବିଲ ପାରିତ ହୋଇଛି । ଏହା ପୂର୍ବରୁ ୨୦୧୯ ଏହି ବିଲ ନିମ୍ନ ସଦନ ଲୋକସଭା ପାରିତ ହୋଇସାରିଛି ।
ଆଜି ଗୃହରେ ଉତ୍ତର ରଖି ମନ୍ତ୍ରୀ ଶେଖାଓ୍ବତ କହିଛନ୍ତି ଯେ ଏହି ନୂଆ ବିଲରେ ଡ୍ୟାମର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ଏକ ସ୍ଥାୟୀ କମିଟିର ଗଠନ ହେବା ନେଇ ପ୍ରାବଧାନ ରହିଛି । ବିରୋଧୀଙ୍କ ସନ୍ଦେହ ଦୂର କରିବା ପାଇଁ ଏହି ବିଲ ଅନୁସାରେ ଗଠନ ହେବାକୁ ଥିବା କମିଟିରେ ରାଜ୍ୟମାନଙ୍କୁ ଉଚିତ ପ୍ରତିନିଧିତ୍ବ ମିଳିବ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ।
ଏହି ବିଲ୍ ଅଧୀନରେ ଏକ ଜାତୀୟ ଡ୍ୟାମ୍ ସୁରକ୍ଷା କମିଟି ଏବଂ ଏକ ଜାତୀୟ ଡ୍ୟାମ୍ ସୁରକ୍ଷା ପ୍ରାଧିକରଣ ଗଠନ ସମ୍ପର୍କରେ ବ୍ୟବସ୍ଥା ରହିଛି । ଏହି ଜାତୀୟ କମିଟି ନୀତି ପ୍ରସ୍ତୁତ କରିବ ଏବଂ ଡ୍ୟାମ ସୁରକ୍ଷା ସମ୍ବନ୍ଧୀୟ ନିୟମାବଳୀ ସୁପାରିଶ କରିବ। ଏହି କର୍ତ୍ତୃପକ୍ଷ ଡ୍ୟାମ ସୁରକ୍ଷା ସଂଗଠନଗୁଡ଼ିକୁ ବୈଷୟିକ ସହାୟତା ପ୍ରଦାନ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।
ବିଲ୍ ଉପରେ ଦୀର୍ଘ ସମୟର ଚର୍ଚ୍ଚା ପରେ ଆଜି ରାଜ୍ୟସଭାରେ ଭୋଟିଂ କରାଯାଇଥିଲା। ଭୋଟିଂ ପୂର୍ବରୁ ଆଲୋଚନାବେଳେ ମନ୍ତ୍ରୀ କହିଥିଲେ, ବର୍ତ୍ତମାନ ସୁଦ୍ଧା ଦେଶରେ ୪୨ଟି ବନ୍ଧ ଭାଙ୍ଗି ସାରିଛି । ଏହି ବିଲ ଅଗଷ୍ଟ ୨୦୧୯ରେ ଲୋକସଭା ଦ୍ବାରା ପାରିତ ହୋଇଛି । ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଆଧାରରେ ଏହି ବିଲ୍ ପ୍ରସ୍ତୁତ କରାଯାଇଥିବାବେଳେ ଏହାକୁ ତୁରନ୍ତ ଲାଗୁ କରାଯିବାର ଆବଶ୍ୟକତା ରହିଥିବା କହିଥିଲେ ମନ୍ତ୍ରୀ ଶେଖାଓ୍ବତ । ଆହୁରି ମଧ୍ୟ ଏହି ବିଲର ପ୍ରାବଧାନ ମୁତାବକ ଗଠନ ହେବାକୁ ଥିବା କମିଟିରେ ରାଜ୍ୟମାନଙ୍କୁ ଉପଯୁକ୍ତ ଗୁରୁତ୍ବ ଓ ପ୍ରତିନିଧିନତ୍ବ ଦିଆଯିବା ନେଇ ମଧ୍ୟ ସେ ସ୍ପଷ୍ଟ କରିଛନ୍ତି ।
