୧୬ରେ କଂଗ୍ରେସର ସିଡବ୍ଲ୍ୟୁସି ବୈଠକ
ନୂଆଦିଲ୍ଲୀ : ଆଭ୍ୟନ୍ତରୀଣ କନ୍ଦଳ ଏବଂ ନେତୃତ୍ଵକୁ ନେଇ ଉଠୁଥିବା ପ୍ରଶ୍ନ ମଧ୍ୟରେ କଂଗ୍ରେସ ଅକ୍ଟୋବର ୧୬ରେ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି)ର ବୈଠକ ଡକାଇଛି। ନିକଟରେ ବରିଷ୍ଠ କଂଗ୍ରେସ ନେତା କପିଲ୍ ସିବଲଙ୍କ ସହିତ ଅନେକ ନେତା ଶୀଘ୍ର ସିଡବ୍ଲ୍ୟୁସି ବୈଠକ ଡକାଇବାକୁ ଦାବି କରିଥିଲେ।
ପାର୍ଟି ସୂତ୍ର ଅନୁଯାୟୀ, ସାଂପ୍ରତିକ ରାଜନୈତିକ ପରିସ୍ଥିତି, ଆଗାମୀ ବିଧାନସଭା ନିର୍ବାଚନ ଓ ସାଂଗଠନିକ ନିର୍ବାଚନ ପାଇଁ ଏହି ବୈଠକ ଡକାଯାଇଛି। ଏହି ବୈଠକ ଏମିତି ସମୟରେ ହେବାକୁ ଯାଉଛି ଯେବେ ପାର୍ଟି ପଞ୍ଜାବ, ଛତିଶଗଡ ଓ ରାଜସ୍ଥାନ ସହିତ ଅନେକ ରାଜ୍ୟରେ ଗୋଷ୍ଠୀକନ୍ଦଳର ସମ୍ମୁଖୀନ ହେଉଛି। ରାଜନୈତିକ ଭାବେ ବହୁତ ମହତ୍ଵପୂର୍ଣ୍ଣ ଉତ୍ତର ପ୍ରଦେଶ ସହିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସୂଚନା ଯେ, ୨୦୧୯ ଲୋକସଭା ନିର୍ବାଚନ ପରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ପରେ ସୋନିଆ ଗାନ୍ଧୀ ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷ ଅଛନ୍ତି। ହେଲେ ପାର୍ଟିର ଅନେକ ବରିଷ୍ଠ ନେତା ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି। ପାର୍ଟିରେ ସ୍ଥାୟୀ ଅଧ୍ୟକ୍ଷ ଦାବି ଦୀର୍ଘ ଦିନ ଧରି ଉଠି ଆସିଛି। କରୋନା ସଂକ୍ରମଣର ଯୁକ୍ତି ବାଢି ଅନେକ ଥର ସାଂଗଠନିକ ନିର୍ବାଚନ ଘୁଞ୍ଚା ଯାଇଛି। କିନ୍ତୁ ରାଜନୈତିକ ବିଶ୍ଳେଷକଙ୍କ ମତରେ ପାର୍ଟି ପାଇଁ ଏବେ ଏହି ଦାବିକୁ ଟାଳିବା ବହୁତ ମୁସ୍କିଲ। ପାର୍ଟିକୁ ଶୀଘ୍ର ସ୍ଥାୟୀ ସଭାପତି ନିର୍ବାଚନ କରାଇବାକୁ ପଡିବ।
