କର୍ଣ୍ଣାଟକର ଧରୱାଡରେ ମର୍ମନ୍ତୁଦ ଦୁର୍ଘଟଣା! ଗଛରେ ପିଟିହେଲା କ୍ରୁଜର, ୭ ମୃତ
ବେଙ୍ଗାଲୁର : କର୍ଣ୍ଣାଟକର ଧରୱାଡରେ ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଗଛରେ ପିଟି ହେଲା ଦ୍ରୁତଗାମୀ କ୍ରୁଜର। ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଗତ ଶୁକ୍ରବାର ବିଳମ୍ବିତ ରାତିରେ ଧରୱାଡ ତାଲୁକ ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି। ଯାହା ସୂଚନା ରହିଛି, ଗାଡିରେ ମୋଟ ୨୦ ଜଣ ଯାତ୍ରୀ ଥିଲେ। ସେମାନେ ଏକ ନିର୍ବନ୍ଧ ସମାରୋହରେ ଯୋଗ ଦେଇ ଫେରୁଥିଲେ। ଏହି ସମୟରେ ବାଟରେ ତାଙ୍କ ଗାଡିଟି ରାସ୍ତାକଡ ଏକ ଗଛରେ ପିଟି ହୋଇଯାଇଥିଲା।
ମୃତକଙ୍କ ମଧ୍ୟରେ ଜଣେ ନାବାଳିକା ଏବଂ ଦୁଇ ଜଣ ନାବାଳକ ରହିଛନ୍ତି। ଏଥିରେ ଗୁରୁତର ଆହତମାନଙ୍କୁ କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଧରୱାଡ ଏସପି ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି। ଧରୱାଡ ଗ୍ରାମାଞ୍ଚଳ ଥାନା ଠାରୁ କିଛି ଦୂରରେ ଦୁର୍ଘଟଣା ଘଟିଛି। ଗାଡିର ବେଗ ଖୁବ୍ ଅଧିକ ଥିବା ଯୋଗୁଁ ଗଛରେ ପିଟି ହେବାପରେ ୭ ଜଣଙ୍କ ଜୀବନ ଚାଲି ଯାଇଛି।
