ନୂଆବର୍ଷରେ ପୁରୀରେ ଭିଡ଼! ସମୁଦ୍ରକୂଳରେ ପହିଲି ସୂର୍ଯ୍ୟକିରଣକୁ ସ୍ୱାଗତ କଲେ ପର୍ଯ୍ୟଟକ ଓ ସହରବାସୀ
ପୁରୀ : ଆରମ୍ଭ ହେଲା ନବବର୍ଷ ୨୦୨୨ । ନୂଆବର୍ଷରେ ଉପଲକ୍ଷେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି। ଶ୍ରୀମନ୍ଦିର ବନ୍ଦ ଥିବାବେଳେ ନୂଆ ବର୍ଷର ପ୍ରଥମ ଦିନର ପହିଲି ସୂର୍ଯ୍ୟକିରଣକୁ ସ୍ୱାଗତ କରିବାକୁ ପୁରୀ ସମୁଦ୍ରକୂଳରେ ଭିଡ଼ ଦେଖିବାକୁ ମିଳିଛି। ବର୍ଷର ପ୍ରଥମ ଦିନରେ ସମୁଦ୍ର କୂଳରେ ନୂଆ ସୂର୍ଯ୍ୟର ଉଦୟର ମନୋରମ ଦୃଶ୍ୟକୁ ପୁରୀ ଉପଭୋଗ କରିବାକୁ ପର୍ଯ୍ୟଟକ ଓ ପୁରୀବାସୀଙ୍କ ଭିଡ଼ ହୋଇଛି। ଉଦୟ ସୂର୍ଯ୍ୟର ଅରୁଣିମା ସାଗର ଦେହରେ ପ୍ରତିବିମ୍ବ ସୃଷ୍ଟି କରି ମନୋରମ ଦୃଶ୍ୟ ସୃଷ୍ଟି କରିଥାଏ । ଏହାକୁ ଉପଭୋଗ କରିବାକୁ ପୁରୀ ବେଳାଭୂମିରେ ଜମିଥିଲା ଲୋକଙ୍କ ଭିଡ଼ ।
ତେବେ ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ର ହୋଇ ଉଠିଛି ଚଳଚଞ୍ଚଳ । ନୂଆବର୍ଷର ନୂତନ ସୂର୍ଯ୍ୟୋଦୟ ଦେଖିବା ପାଇଁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । କିନ୍ତୁ କରୋନା କଟକଣା ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି । ନୂତନ ବର୍ଷରେ ପ୍ରଭୁ ଜଗତରନାଥ ଜଗନ୍ନାଥଙ୍କ ଆଶିଷ ଭିକ୍ଷା କରିବା ପାଇଁ ଭକ୍ତକୁ ସୁଯୋଗ ମିଳିନି । କିନ୍ତୁ ସିଂହଦ୍ବାର ସମ୍ମୁଖରେ ଥାଇ ପତିତପାବନ ଦର୍ଶନ କରି ଆଶିଷ ଲାଭ କରୁଛନ୍ତି ଶ୍ରଦ୍ଧାଳୁ । ସେପଟେ ପୁରୀରେ ଭିଡ ଆଶଙ୍କାରେ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥାକୁ ମଧ୍ୟ ଖୁବ୍ କଡ଼ାକଡ଼ି ବ୍ୟବସ୍ଥା କରାଯାଇଛି । ସୂଚନା ଯେ, ନୂଆବର୍ଷ ଭିଡ଼ରେ କୋଭିଡ୍ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଡିସେମ୍ବର ୩୧ରୁ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରଖିଛି। ଏହି ତିନିଦିନ ଭକ୍ତମାନେ ଶ୍ରୀମନ୍ଦିର ପ୍ରବେଶ କରିବାରେ କଟକଣା ଲଗାଯାଇଛି। କେବଳ ନୀତି ସଂପୃକ୍ତ ସେବକ, ଜେଟିପି, ଅଧିକାରୀମାନେ ଶ୍ରୀମନ୍ଦିର ଯାଇପାରିବେ। ଜାନୁଆରି ୩ରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିବା ସହ ମହାପ୍ରଭୁଙ୍କ ଦର୍ଶନ ସ୍ବାଭାବିକ ହେବ। ଏ ନେଇ ଏସ୍ଓପି ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ।
