ବାଣ ଦୋକାନରେ ଭିଡ଼ : ଡିମାଣ୍ଡରେ ଫ୍ୟାନ୍ସି ବାଣ ଓ ଆକାଶ ଦୀପ
ଭୁବନେଶ୍ୱର : ଯେଉଁ ବାଣ ଗତଥର ୧୦୦ ଟଙ୍କା ଥିଲା, ତା’ ଦର ଏଥର ୧୩୦ ନହେଲେ ୧୪୦କୁ ଛୁଇଁଛି । ଫ୍ୟାନ୍ସି ବାଣ ଦର ଏତେ ଯେ, ହାତ ମାରି ହେଉନି । ସ୍କାଏ ସର୍ଟ ୫ ଶହରୁ ୫ ହଜାର ଯାଏଁ ରହିଛି । ଗୋଟିଏ କେଜିକିଆ ପଲିଥିନ୍ ଭର୍ତି ଫ୍ୟାନ୍ସି ବାଣ ଆଣିଲେ, ଅତିକମ୍ରେ ୨ ହଜାର ଟଙ୍କା ପକେଟ୍ରୁ ଯିବାଟା ଥୟ । ଏଥର ବାଣ ବଜାରରେ ପୁଣି ଏମିତି ଚଡ଼କ ପଡି଼ଛି । ତେବେ ବାଣପ୍ରେମୀଙ୍କୁ ଆଶ୍ୱସ୍ଥି ଦେବ କିଛି ଦେଶୀ ବାଣ । ଏଥର ଡିମାଣ୍ଡରେ ରହିବ ଆକାଶ ଦୀପ, ଘଡ଼ି ଓ ଝୁରଝରି ଭଳି ଦେଶୀ ବାଣ । ବିଳମ୍ବରେ ହେଲେ ପଛେ ଭୁବନେଶ୍ୱର ଓ ତା’ ଉପକଣ୍ଠରେ ପ୍ରାୟ ୩୦ଟି ପଡି଼ଆରେ ଖୋଲିଛି ୪୫୦ରୁ ଅଧିକ ବାଣ ଦୋକାନ । ଶନିବାରଠୁ ୩ ଦିନ ପାଇଁ ବାଣ ବିକାଯିବ । କେବଳ ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ୍ସ୍ ସେଫଟି ଅର୍ଗାନାଇଜେସନ (ପେସୋ) ଅନୁମୋଦିତ ସବୁଜ ବାଣ ବିକ୍ରିର ଅନୁମତି ଅଛି ।
ଦରଦାମ୍ ବଢ଼ିବାର କାରଣ ନେଇ ଜଟଣୀର ‘ମନୋଜ ସିଜିନ୍ ସେଂଟର’ ମାଲିକ ମନୋଜ କୁମାର ସାହୁ କହିଛନ୍ତି, ଜଟଣୀ ହୋଲସେଲ୍ ମାର୍କେଟକୁ କେବଳ ଶିବକାସୀ ଓ ରାୟପୁରରୁ ବାଣ ମଗାଯାଉଛି । ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶନାମା ପରେ ବାଣରେ ଅନେକ କଟକଣା ଲାଗିଛି । ଉତ୍ପାଦ ବି ପୂର୍ବ ଅପେକ୍ଷା ଢେର୍ର କମ୍ । ଯେଉଁଥିଯୋଗୁଁ ଏଥର ହୋଲସେଲ ଦର ଅତିକମ୍ରେ ୨୫-୩୦ ପ୍ରତିଶତ ବଢ଼ିଛି । ସେହି ଅନୁସାରେ ଗ୍ରାହକଙ୍କ ପାଖରେ ବାଣ ପହଂଚିବା ବେଳକୁ ଦର ବଢ଼ିଯାଉଛି । ଅବଶ୍ୟ ଗତ ମାସେ ଭିତରେ ବେପାର ଗତି ଟିକେ ବଢ଼ିଥିଲା । ଅତିକମ୍ରେ ୩ରୁ ସାଢ଼େ ୩ କୋଟି ଟଙ୍କାର ବାଣ ବିକାଯାଇଛି ।
ସେପଟେ ଭୁବନେଶ୍ୱର ମାର୍କେଟରେ ପ୍ୟାନ୍ସି ବାଣ ୫୦ ଟଙ୍କାରୁ ମିଳିଯିବ । ଫ୍ୟାନ୍ସି ଆଇଟମ୍ରେ ସବୁଠୁ ଅଧିକ ଦର ୬ ହଜାର ଯାଏଁ ଅଛି । ପିଲାଙ୍କ ପାଇଁ ଡିମାଣ୍ଡରେ ଥିବା ‘ପପ୍ପପ୍’ ବାଣର ୬ଟି ଆଇଟମ୍ ଅଛି । ଦର ୧୦ ଟଙ୍କାରୁ ୪୦ ଯାଏଁ ରହିବ । ସେହିପରି ଆକାଶ ଦୀପ ଦର ୨୫ରୁ ୩୦ ଟଙ୍କା ଅଛି । କିଛି ଏହାକୁ ୫୦ ଟଙ୍କାରେ ବି ବିକିବେ । ସେହିପରି ଆକାଶଛୁଆଁ ସଟ୍ ଅତିକମ୍ରେ ୪୦୦-୫୦୦ ଟଙ୍କାରେ ମିଳିଯିବ । ଯେଉଁଥିରେ ମାତ୍ର ୭-୮ଟି ସଟ ଅଛି । ୩୦ରୁ ୪୦ ସଟ୍ ଥିବା ବାଣର ଦର ହଜାରେ ଅଛି । ସବୁଠୁ ଅଧିକ ୧୨୦ ସଟ୍ ଥିବା ବାଣର ଦର ୪୫୦୦ରୁ ୫୦୦୦ ଯାଏଁ ରଖାଯାଇଛି । ଘଡି ବାଣ ୨୦ରୁ ୩୦ ଟଙ୍କା, ସ୍କାଏ ଲଣ୍ଠନ୍? ୪୦ ଟଙ୍କାରୁ ୧୦୦ ଟଙ୍କା, ୨୦ ଟଙ୍କାର ମହମବତୀ ୩୫ରୁ ୪୦ ଟଙ୍କା ରହିଛି ।
