ବିହାର ମହାମେଣ୍ଟରେ ଫାଟ ! ସମନ୍ୱୟ ସମିତି ଗଠନ କରିବାକୁ ଉଠିଲା ଦାବି
ବିହାର : ବିହାରରେ କ୍ଷମତାସୀନ ମହାମେଣ୍ଟ ସରକାରର ନେତୃତ୍ୱ ନେଉଥିବା ଆରଜେଡି ଏବଂ ଜେଡିୟୁ ମଧ୍ୟରେ ସୃଷ୍ଟି ହୋଇଛି ଫାଟ। ବିଭିନ୍ନ ପ୍ରସଙ୍ଗକୁ ନେଇ ଉଭୟ ଦଳ ମଧ୍ୟରେ ଦେଖିବାକୁ ମିଳିଛି ମତପାର୍ଥକ୍ୟ। ଏହି ସମସ୍ୟାର ସମାଧାନ କରିବା ପାଇଁ ମହାମେଣ୍ଟରେ ଜଡ଼ିତ ରହିଥିବା ଅଂଶୀଦାର ଦଳ ଯଥା ଶୀଘ୍ର ଏକ ସମନ୍ୱୟ ସମିତି ଗଠନ କରିବାକୁ ଦାବି କରିଛନ୍ତି।
ଦୁଇ ମାସରୁ କମ ପୁରୁଣା ମହାମେଣ୍ଟରେ ଆରଜେଡି-ଜେଡିୟୁ ମଧ୍ୟରେ ମତଭେଦ ଜାରି ରହିଛି। ଏହି ସମୟରେ ବିହାର ଆରଜେଡି ସଭାପତି ଜଗଦାନନ୍ଦ ସିଂହ କହିଛନ୍ତି ଯେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଆସନ୍ତା ବର୍ଷ ମୁଖ୍ୟମନ୍ତ୍ରୀ କରାଯିବା ଆବଶ୍ୟକ। ତାଙ୍କର ଏହି ବିବୃତ୍ତି ଆସିବା ପରେ ପ୍ରତିକ୍ରିୟା ରଖିଥିଲେ ତେଜସ୍ୱୀ ଯାଦବ। ଏନେଇ ମତ ରଖି ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ଠାରୁ ସେ ହିଁ କେବଳ ମହାମେଣ୍ଟ କିମ୍ବା ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ କୌଣସି ବିବୃତ୍ତି ଦେବାକୁ ଅନୁମତି ପାଇବେ। ଅନ୍ୟପଟେ ଆରଜେଡି ନେତା ଜଗଦାନନ୍ଦ ସିଂହଙ୍କ ପୁଅ ସୁଧାକର ସିଂହ ମଧ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମତଭେଦ ହେବା ପରେ ରାଜ୍ୟ କୃଷି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।
ବିହାରରେ କ୍ଷମତାସୀନ ମହାମେଣ୍ଟ ସରକାରରେ ସାମିଲ ରହିଥିବା କ୍ଷୁଦ୍ର ସହଯୋଗୀ ବିଶେଷ କରି ବାମ ଦଳ ଅନୁଭବ କରନ୍ତି ଯେ ଏକ ସମନ୍ୱୟ ସମିତି ଗଠନ କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ। ଏନେଇ ସିପିଆଇଏମଏଲ ବିଧାୟକ ଦଳ ନେତା ମହବୁବ ଆଲାମ କହିଛନ୍ତି ଯେ କୃଷିମନ୍ତ୍ରୀ ସୁଧାକର ସିଂହଙ୍କ ଇସ୍ତଫା ପରେ ତୁରନ୍ତ ଆମେ ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏକ ସମନ୍ୱୟ ସମିତି ଗଠନ କରିବାକୁ ଦାବି କରିଛୁ। ଆମେ ହୃଦୟଙ୍ଗମ କରିଛୁ ଯେ ସରକାର ଭଲ କାର୍ଯ୍ୟ କରୁଛନ୍ତି। ହେଲେ ମନ୍ତ୍ରୀ ସିଂହଙ୍କ ଆଚରଣ ଭଳି ଉଦାହରଣ ମହାମେଣ୍ଟ ସରକାର ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ମହାମେଣ୍ଟ ସରକାର ଗଠନ ହେବା ପରେ ଆମେ ଏକ ସମନ୍ୱୟ ସମିତି ଗଠନ ଏବଂ ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ର ପ୍ରସ୍ତୁତ କରିବାକୁ ଦାବି କରୁଛି। ଆମର ଲକ୍ଷ୍ୟ ହେଉଛି ମେଣ୍ଟରେ ସହଯୋହୀ ଦଳଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଭୁଲ ବୁଝାମଣାକୁ ଏଡାଇବା। ଯଦିଓ ସିପିଆଇଏମଏଲ ଶାସକ ମେଣ୍ଟରେ ସାମିଲ ରହିଛି ହେଲେ ଦଳ ମହାମେଣ୍ଟ ସରକାରକୁ ବାହ୍ୟ ସମର୍ଥନ ଦେଉଛି।
ସିପିଆଇଏମଏଲ ବିଧାୟକ ଦଳ ନେତା ଦାବି କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଧୈର୍ଯ୍ୟର ସହ ତାଙ୍କ କଥା ଶୁଣବା ସହ ସମନ୍ୱୟ ସମିତି ଗଠନ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ତେଜସ୍ୱୀ ଯାଦବ ମୋତେ ସେହି ପ୍ରତିନିଧିଙ୍କ ନାମ ଦେବାକୁ କହିଥିଲେ ଯେଉଁମାନେ ମୋ ଦଳ ପକ୍ଷରୁ ଏହି ସମିତିର ଅଂଶ ହେବାକୁ ଚାହୁଁଛନ୍ତି। ମୁଁ ନିଶ୍ଚିତ ଯେ ସେ ଅନ୍ୟ ସହଯୋଗୀ ଦଳଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ଆମେ ଏଥିରେ କିଛି ଅଗ୍ରଗତି ଦେଖିବା ବୋଲି କହିଛନ୍ତି ମହବୁବ ଆଲମ।
ସିପିଆଇ ରାଷ୍ଟ୍ରୀୟ ସଚିବ ଅତୁଲ ଅଞ୍ଜାନ ଏହା ମଧ୍ୟ କହିଛନ୍ତି ଯେ ସାମ୍ପ୍ରତିକ ଘଟଣାକ୍ରମ ବିକାଶ ପ୍ରାଥମିକ ସମନ୍ୱୟ ସମିତି ଗଠନର ଆବଶ୍ୟକତାକୁ ଦର୍ଶାଉଛି। ଯେଉଁଥିପାଇଁ ତାଙ୍କ ଦଳ ଆରମ୍ଭରୁ ଦାବି କରିଆସୁଛି। ସେ କହିଛନ୍ତି ଯେ ତାଙ୍କ ଦଳର ବିହାର ରାଜ୍ୟ ଶାଖା ସଚିବ ରାମ ନରେଶ ପାଣ୍ଡେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିଛନ୍ତି ଏବଂ ସେ ଏହାକୁ ବିରୋଧ କରୁନାହାଁନ୍ତି। ବର୍ତ୍ତମାନ ରାଜ୍ୟର ମୋକାମା ଏବଂ ଗୋପାଳଗଞ୍ଜ ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାରଣରୁ ସମିତି ଗଠନ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ଏହି ଉପନିର୍ବାଚନ ବହୁ ଦଳ ବିଶିଷ୍ଟ ମହାମେଣ୍ଟ ପାଇଁ ଏକତା ପ୍ରଦର୍ଶନ କରିବାର ସୁଯୋଗ ହେବ।
ମହାମେଣ୍ଟରେ କଂଗ୍ରେସ ହେଉଛି ତୃତୀୟ ବୃହତ୍ତମ ଅଂଶୀଦାର ଦଳ। ବିହାରୀ କଂଗ୍ରେସ ପ୍ରଭାରୀ ଭକ୍ତ ଚରଣ ଦାସ ନିକଟରେ ଘଟିଥିବା ଘଟଣାକ୍ରମ ଉପରେ କୌଣସି ପ୍ରତିକ୍ରିୟା ରଖି ନଥିବା ବେଳେ ସମନ୍ୱୟ ସମିତ ଗଠନ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏନେଇ ଆଲୋଚନା ହୋଇଛି ଯଥାଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ।
ବିହାରରେ କ୍ଷମତାସୀନ ମହାମେଣ୍ଟ ସରକାରରେ ଆରଜେଡି, ଜେଡିୟୁ, ସିପିଆଇଏମଏଲ ବ୍ୟତୀତ କଂଗ୍ରେସ, ସିପିଆଇ, ସିପିଏମ ଏବଂ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଭଳି ଦଳ ସାମିଲ ଅଛନ୍ତି।
