ବିଧାୟକଙ୍କ ଦରମା ବୃଦ୍ଧି ପ୍ରସ୍ତାବକୁ ସିପିଏମ୍ ବିଧାୟକଙ୍କ ବିରୋଧ
ଭୁବନେଶ୍ୱର : ବିଧାୟକମାନଙ୍କ ଭତା, ବେତନ ଭତା ଓ ପେନସନ୍ ବୃଦ୍ଧି ପ୍ରସ୍ତାବକୁ ବିରୋଧ କରିଛନ୍ତି ବଣେଇର ସିପିଆଇଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା । ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସେ କହିଛନ୍ତି ବିଧାୟକମାନଙ୍କ ବେତନ ଓ ଭତା ବୃଦ୍ଧି ସମ୍ପର୍କରେ ଓଡିଶା ରାଜ୍ୟ ବିଧାନସଭାର ଗୃହ କମିଟି ବିଧାୟକମାନଙ୍କର ଭତା, ଦରମା ଆଦି ବୃଦ୍ଧି ନିମନ୍ତେ ପ୍ରସ୍ତାବ ଗ୍ରହଣ କରି ସୁପାରିଶ କରିଛି ବୋଲି ସମ୍ବାଦ ପତ୍ରରେ ଯାହା ପ୍ରକାଶ ପାଇଛି ତାହା ମୋ ଦୃଷ୍ଟିକୁ ଆସିଛି । ଏହି ବୈଠକରେ ଯେଉଁ ଉପସ୍ଥାନ ଗ୍ରହଣ କରାଯାଇଥିଲା, ସେଥିରେ ମୁଁ ସ୍ୱାକ୍ଷର କରିଛି । ମାତ୍ର ବୈଠକରେ ଉପସ୍ଥାପିତ ଚୁଡାନ୍ତ ପ୍ରସ୍ତାବ ଦେଖିନାହିଁ କି ସେଥିରେ ସ୍ୱାକ୍ଷର କରିନାହିଁ । ମୁଁ ପ୍ରତିନିଧିତ୍ୱ କରୁଥିବା ରାଜନୈତିକ ଦଳ ସି.ପି.ଆଇ.(ଏମ୍) ବିଧାୟକମାନଙ୍କ ବେତନ, ଭତା ଓ ପେନସନ୍ ରାଶି ବୃଦ୍ଧିକୁ ସର୍ବଦା ବିରୋଧ କରିଥାଏ । ମୁଁ ନିତିଗତ ଦୃଷ୍ଟିରୁ ଓ ମୋ ନିଜର ବିବେକ ଦୃଷ୍ଟିରୁ ବିଧାୟକମାନଙ୍କ ଭତା, ବେତନ ଭତା ଓ ପେନସନ୍ ବୃଦ୍ଧି ପ୍ରସ୍ତାବକୁ ବିରୋଧ କରୁଛି ।
