୨୦୦୭ରେ ଜନ୍ମିତ ପିଲା ନେଇପାରିବେ କୋଭିଡ୍ ଟିକା, ସ୍ପଷ୍ଟୀକରଣ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ : ୧୫ରୁ ୧୮ବର୍ଷ ବୟସ ବର୍ଗର ପିଲାଙ୍କ ଟିକାକରଣ ନେଇ ସ୍ପଷ୍ଟୀକରଣ ଜାରି କରିଛନ୍ତି କେନ୍ଦ୍ର ସରକାର । ଜାତୀୟ ସ୍ୱାସ୍ଥ୍ୟ ମିସନର ନିର୍ଦ୍ଦେଶକ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ସରକାରଙ୍କୁ ପତ୍ର ଲେଖି ଜଣାଇଛନ୍ତି କି ୨୦୦୫, ୨୦୦୬ ଏବଂ ୨୦୦୭ ମସିହାରେ ଜନ୍ମିତ ପିଲାମାନେ କୋଭିଡ୍ ଟିକା ନେଇପାରିବେ । ପୂର୍ବରୁ ୨୦୦୭ ମସିହାରେ ଜନ୍ମିତ ପିଲାଙ୍କ ଟିକାକରଣକୁ ନେଇ ସଂଶୟ ରହିଥିଲା । ବର୍ତମାନ ଏହା ଦୂର ହୋଇଛି । ଯେଉଁମାନେ ୨୦୨୩ ଜାନୁଆରି ସୁଦ୍ଧା ୧୫ ବର୍ଷ ବୟସରେ ଉପନୀତ ହେଉଥିବେ ସେମାନେ ୧୫ରୁ ୧୮ ବର୍ଷ ବୟସ ବର୍ଗରେ ସାମିଲ ହୋଇ ଟିକା ନେଇ ପାରିବେ ବୋଲି କୁହାଯାଇଛି ।
ଦେଶରେ ଜାନୁଆରି ୪ ତାରିଖ ଠାରୁ ୧୫-୧୮ ବର୍ଷ ପିଲାଙ୍କ ପାଇଁ କରୋନା ଟିକାକରଣ ଆରମ୍ଭ ହୋଇଛି । ଦେଶବ୍ୟାପୀ ବିଭିନ୍ନ ହସ୍ପିଟାଲ, ସ୍କୁଲ ଓ ଟିକାକରଣ କେନ୍ଦ୍ରରେ ଏହି ବୟସ ବର୍ଗର ପିଲାଙ୍କ ପାଇଁ ଟିକାକରଣ ଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶାବଳି ଅନୁଯାୟୀ ପିଲାଙ୍କୁ କେବଳ ଭାରତ ବାୟୋଟେକ୍ର କୋଭାକ୍ସିନ୍ ଟିକା ଦିଆଯାଉଛି । ଡିସେମ୍ବର ୨୫ ତାରିଖରେ ପିଲାଙ୍କୁ ଟିକା ଦେବା ନେଇ ଘୋଷଣା କରାଯାଇଥିଲା । ଉକ୍ତ ବୟସ ବର୍ଗରେ ଦେଶରେ ୭ରୁ ୮ କୋଟି ପିଲା ଅଛନ୍ତି । ନୂଆବର୍ଷର ପ୍ରଥମ ଦିନରେ ଉକ୍ତ ବୟସ ବର୍ଗରେ ଟିକାକରଣ ପାଇଁ ପଂଜୀକରଣ ଆରମ୍ଭ ହୋଇଥିଲା । ଜାନୁଆରି ୨ ସନ୍ଧ୍ୟା ସୁଦ୍ଧା ଟିକାକରଣ ପାଇଁ କୋୱିନ୍ ଆପ୍ରେ ୭.୬ ଲକ୍ଷ ହିତାଧିକାରୀ ପଂଜୀକୃତ ହୋଇଥିଲେ । ପ୍ରଥମ ଦିନରେ ୪୦ ଲକ୍ଷରୁ ଅଧିକ ପିଲା ଟିକା ନେଇଥିବା କୋୱିନ୍ ପୋର୍ଟାଲରୁ ଜଣାପଡ଼ିଥିଲା ।
