କୋଭିଡ୍ ଲକ୍ଷଣ ବଦଳୁଛି : ଡିଏମଇଟି
ଭୁବନେଶ୍ୱର : ବର୍ତମାନ କୋଭିଡ ଲକ୍ଷଣ ବଦଳୁଛି । ଟିକା ଯୋଗୁଁ ସ୍ୱଳ୍ପ ଲକ୍ଷଣ ଦେଖାଯାଉଛି, ସ୍ୱାଭାବିକ ଠାରୁ ଅଧିକ ଥଣ୍ଡା, ଜ୍ୱର ହେଲେ ଟେଷ୍ଟ କରାଇନେବା ଉଚିତ । କୋଭିଡ୍ କଟକଣା ମାନିଲେ ସଂକ୍ରମଣକୁ ରୋକି ପାରିବା ବୋଲି କହିଛନ୍ତି ଡିଏମଇଟି ରମା ରମଣ ମହାନ୍ତି ।
ସେହିପରି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହେବା ନେଇ ସେ କହିଛନ୍ତି, ଭୀମସାର ଓ ସୁନ୍ଦରଗଡ଼ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ଘଟଣା ସମ୍ପର୍କରେ ବୁଝିଛି । ବୁର୍ଲାରେ ଚତୁର୍ଥ ବର୍ଷର ଜଣେ ଛାତ୍ରୀଙ୍କ ନିକଟରୁ ସଂକ୍ରମଣ ବ୍ୟାପିଛି । ସାମାନ୍ୟ ଲକ୍ଷଣ ଥିଲା । ପ୍ରଥମେ ସେ ନେଗେଟିଭ ଆସିଥିଲେ । କିନ୍ତୁ କିଛି ଦିନ ପରେ ଭଲ ନହେବାରୁ ପରେ ପୁନଶ୍ଚ ଟେଷ୍ଟରେ ପଜିଟିଭ ଆସିଥିଲେ । କୋଭିଡ୍ ନିୟମ ଅନୁପାଳନ କରି ନଥିବାରୁ ସଂକ୍ରମଣ ବଢ଼ିଥିଲା । ପରେ ଟ୍ରେସିଂ ହେଲା ପରେ ୧୮ ଜଣ ଝିଅ ଓ ୪ ଜଣ ପୁଅ ପଜିଟିଭ ହୋଇଛନ୍ତି । ସେମାନଙ୍କ ମାଇକ୍ରୋ କେଂଟନମେଂଟ ଜୋନରେ ରଖାଯାଇଛି । ସେହିପରି ସୁନ୍ଦରଗଡରେ ଏକ ଆବାସିକ ସ୍କୁଲ ହଷ୍ଟେଲରେ ସପ୍ତମ ଓ ଅଷ୍ଟମ ଶ୍ରେଣୀର ପ୍ରଥମେ ୩-୪ଜଣ ପଜିଟିଭ ହୋଇଥିଲେ । କଂଟାକ୍ଟ ଟ୍ରେସିଂରୁ ୪୩ ଜଣ ପଜିଟିଭ ହୋଇଥିବା ଜଣାପଡ଼ିଛି । ୩୩ ଜଣଙ୍କୁ ଏକ ହଷ୍ଟେଲରେ ମାଇକ୍ରୋ କେଂଟନମେଂଟ କରାଯାଇ ରଖାଯାଇଛି । ୧୦ ଜଣ ହୋମ୍ ଆଇସୋଲେସନରେ ଅଛନ୍ତି । ସମସ୍ତେ ଲକ୍ଷଣ ବିହୀନ ବୋଲି ଡିଏମଇଟି କହିଛନ୍ତି ।
