ରାଜ୍ୟରେ ବଢୁଛି କୋଭିଡ୍ ସଂକ୍ରମଣ; ମହାମାରୀ ଆଇନ ଲାଗୁ
କୋଭିଡ୍ ସର୍ଭିଲାନ୍ସ ଓ ଟେଷ୍ଟିଂ ପାଇଁ ପ୍ରତ୍ୟେକ ଜିଲାରେ ନିୟୋଜିତ ହେବ ଗାଡ଼ି
ଭୁବନେଶ୍ୱର : ରାଜ୍ୟରେ ପୁଣିଥରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ମହାମାରୀ ଆଇନକୁ ଲାଗୁ କରିଛନ୍ତି । ଏପଟେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ଜାରି ନିର୍ଦ୍ଦେଶନାମାରେ କୋଭିଡ୍ ସଂକ୍ରାନ୍ତ ମାନବସମ୍ବଳ ବାବଦ ଖର୍ଚ୍ଚକୁ ପବ୍ଲିକ ହେଲଥ ରେସପନ୍ସ ଫଣ୍ଡ (ପିଏଚଆରଏଫ)ରୁ ତୁଲାଇବାକୁ ଜିଲାପାଳମାନଙ୍କୁ କୁହାଯାଇଛି । କୋଭିଡ୍ ସର୍ଭିଲାନ୍ସ ଓ ଟେଷ୍ଟିଂ ପାଇଁ ପ୍ରତ୍ୟେକ ଜିଲାରେ ଗୋଟିଏ ଗାଡ଼ି (୬ ବ୍ଲକରୁ ଅଧିକ ହେଲେ ୨ଟି ଗାଡ଼ି) ନିୟୋଜିତ କରିବାକୁ ବିଭାଗ କହିଛି । ଅନ୍ୟ ଗାଡ଼ିଗୁଡ଼ିକ ଜିଲା ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଅନୁସାରେ ଉପଯୋଗ ହେବ । ଯଦି ଅଧିକ ସଂଖ୍ୟକ ଗାଡ଼ି ଭଡ଼ାରେ ଆସିଥିବ ସେଗୁଡ଼ିକୁ ତୁରନ୍ତ ହଟାଇବାକୁ କୁହାଯାଇଛି । ଓଡ଼ିଶା ରାଜ୍ୟ ଔଷଧ ନିଗମ ପ୍ରତିମାସରେ ନିଜର ଚେନ୍ ମାଧ୍ୟମରେ ଜିଲାଗୁଡ଼ିକୁ ରାପିଡ୍ ଆଣ୍ଟିଜେନ୍ କିଟ୍, ଭିଟିଏମ ଓ ଆରଟିପିସିଆର କିଟ୍ ଯୋଗାଣ ସୁନିଶ୍ଚିତ କରିବେ । ଯଦି ଜିଲ୍ଲାସ୍ତରରେ ଏହି ଉପକରଣ ଅଭାବ ପଡ଼େ ତା’ହେଲେ ସମ୍ପୃକ୍ତ ଔଷଧ ନିଗମର ଜେନେରାଲ ମ୍ୟାନେଜରଙ୍କ ସହ ଯୋଗାଯୋଗ କରି ଭୁବନେଶ୍ୱରକୁ ଗାଡ଼ି ପଠାଇ ଏସବୁ ଉପକରଣ ସଂଗ୍ରହ କରିବାକୁ ସ୍ୱାସ୍ଥ୍ୟ ବିଭାଗ କହିଛି।
ସେହିପରି ଜିଲାଗୁଡ଼ିକରେ ସଂକ୍ରମଣ ମାମଲା ବୃଦ୍ଧି ପାଇବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଆଇସିଏମଆର ଗାଇଡଲାଇନ୍ ଅନୁସାରେ ଆବଶ୍ୟକ ସଂଖ୍ୟକ ଟେଷ୍ଟିଂ କରିବାକୁ କୁହାଯାଇଛି । ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପଲବ୍ଧ ହେବା ଉଚିତ୍ ଓ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆରଟିପିସିଆର ଟେଷ୍ଟ ନିମନ୍ତେ ସ୍ୱାବ ସଂଗ୍ରହର ସୁବିଧା ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ରାପିଡ୍ ଆଂଟିଜେନ୍ ଟେଷ୍ଟ ଓ ଆରଟିପିସିଆର ଟେଷ୍ଟ ପାଇଁ ସ୍ୱାବ ସଂଗ୍ରହ ନିମନ୍ତେ କର୍ମଚାରୀଙ୍କୁ ପ୍ରଶିକ୍ଷିତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାସ୍ତରରେ ସମସ୍ତ କୋଭିଡ୍ ସଂକ୍ରାନ୍ତ ତଥ୍ୟ ଅନଲାଇନରେ ଅପଲୋଡ୍ ଜାରି ରଖିବାକୁ କୁହାଯାଇଛି। ସ୍ୱାସ୍ଥ୍ୟ ବିଭାଗର କୋଭିଡ୍ ସଂକ୍ରାନ୍ତ ଦୈନିକ ଟ୍ୱିଟ୍ ଓ ପ୍ରେସ୍ ନୋଟ୍ ଜାରି ରହିବ ବୋଲି କୁହାଯାଇଛି । ଗାଇଡଲାଇନ୍ ଅନୁସାରେ କୋଭିଡ୍ ମୃତ୍ୟୁ ଅଡିଟ୍ ଜାରି ରଖିବାକୁ ସ୍ୱାସ୍ଥ୍ୟ ବିଭାଗ କହିଛି। ଏହାସହିତ ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ମହାମାରୀ ଆଇନ ବଳବତ୍ତର ରହିଥିବା ସ୍ୱାସ୍ଥ୍ୟ ବିଭାଗ ତା’ର ନିର୍ଦ୍ଦେଶନାମାରେ ଉଳ୍ଲେଖ କରିଛି।
ସୂଚନା ଯେ, ଓଡ଼ିଶାରେ କୋଭିଡ୍ ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ଚଳିତବର୍ଷ ମାର୍ଚ୍ଚ ୨୮ତାରିଖରେ ରାଜ୍ୟ ସରକାର ବିପର୍ୟ୍ୟୟ ପରିଚାଳନା ଆଇନ-୨୦୦୫ରୁ ‘କୋଭିଡ୍’କୁ ମହାମାରୀକୁ ବାଦ୍ ଦେବା ନେଇ ବିଜ୍ଞପ୍ତି ଜାରି କରିଥିଲେ । ରାଜ୍ୟ ସରକାର ‘କୋଭିଡ ସଂକ୍ରମଣର ଭୟାବହତା’କୁ ଦୃଷ୍ଟିରେ ରଖି ୨୦୨୦ ମାର୍ଚ୍ଚ ୧୩ତାରିଖରେ ଏହାକୁ ମହାମାରୀ ଘୋଷଣା କରିଥିଲେ।
