ଜାଗର ପାଇଁ ଚଳଚଞ୍ଚଳ ପଞ୍ଚଲିଙ୍ଗେଶ୍ୱର ଶୈବପୀଠ
ଓଁ ନମଃ ଶିବାୟଃ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ଶୈବପୀଠ
ନୀଳଗିରି : ଉତ୍ତର ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ହେଉଛି ବାଲେଶ୍ୱର ଜିଲା ନୀଳଗିରି ନିକଟ ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ପୀଠ । ପଥର ଖୋଲ ମଧ୍ୟରେ ଆବିର୍ଭୂତ ହୋଇଥିବା ପାଞ୍ଚଟି ଲିଙ୍ଗଙ୍କୁ ବାବା ପଞ୍ଚଲିଙ୍ଗେଶ୍ୱର ନାମରେ ଶ୍ରଦ୍ଧାଳୁ ନିଜର ମନସ୍କାମନା ଆଶାରେ ୨୫୬ଟି ପାହାଚ ଚଢ଼ି ପୀଠ ନିକଟରେ ଆସି ପୂଜାର୍ଚ୍ଚନା କରିଥାନ୍ତି । ଜାଗର ତଥା ମହାଶିବରାତ୍ରୀ ପାଇଁ ମଙ୍ଗଳବାର ପୂର୍ବାହ୍ନ ୭ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଶୈବପୀଠରେ ପାଖାପାଖି ୩୦ହଜାରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସହ ପର୍ଯ୍ୟଟକଙ୍କ ସୁଅ ଛୁଟି ଥିଲା । ଏକ ପ୍ରାକୃତିକ ପରିବେଶ ସହ ପାହାଡ଼ ଝରଣାର କୁଳୁକୁଳୁ ନାଦରେ ଦେବ ଦେବ ମହାଦେବଙ୍କ ପୀଠ ଓଁ ନମଃ ଶିବାୟଃ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ବେଳେ ପୀଠରେ ଜଳାଭିଷେକ ପାଇଁ ଚଳଚଞ୍ଚଳ ହୋଇଉଠିଲା ।
କେବଳ ନୀତିକାନ୍ତି ହେଉଥିବା ବେଳେ ସାଧାରଣ ଜନତାଙ୍କ ପାଇଁ ଗତ ଦୁଇ ବର୍ଷ ହେବ କୋଭିଡ ନିୟମଯୋଗୁଁ ଜାଗର ପାଳନ ବନ୍ଦ ରହିଥିବା ବେଳେ ଚଳିତବର୍ଷ କରୋନାର ଭୟ ଟଳି ନଥିବାରୁ କୋଭିଡ୍ କଟକଣା ଭିତରେ ଶୈବପୀଠରେ ସ୍ୱତନ୍ତ୍ର ନୀତିକାନ୍ତି, ମଙ୍ଗଳ ଆଳତି ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି । ଭକ୍ତମାନେ ଯେପରି ସାମାଜିକ ଦୂରତା ରଖି ଦୀପ ଦାନ ଓ ପୂଜାର୍ଚ୍ଚନା କରିପାରିବେ ସେଥିପାଇଁ ଶୈବପୀଠ ପରିଷରରେ ବ୍ୟାରିକେଡ ଏବଂ ପାନୀୟ ଜଳ ଶାନ୍ତି ଶୃଙ୍ଖଳା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଗର୍ଭଗୃହରେ ଭକ୍ତଙ୍କ ପ୍ରବେଶ ନିଷେଧ ଥିବାବେଳେ କେବଳ ପୂଜାର୍ଚ୍ଚନା କରିଥିଲେ । ରାତି ୩ଟା ୨୫ ପୂର୍ବରୁ ମହାଦୀପ ଉଠିବ ବୋଲି ସୂଚନା ମିଳିଛି ।
