୪ରୁ କୁମ୍ଭୀର ଗଣନା, ୧୧ ଦିନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
ପଟ୍ଟାମୁଣ୍ଡାଇ : ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟଉଦ୍ୟାନ ବାହାରେ ଥିବା ନଦୀ ନାଳ ଗୁଡିକରେ କୁମ୍ଭୀରମାନଙ୍କର ଗଣନା କରାଯିବ । ଆସନ୍ତା ଜାନୁଆରୀ ୪ରୁ ୧୪ ତାରିଖ ଯାଏଁ ୧୦ ଦିନ ଧରି କୁମ୍ଭୀରମାନଙ୍କର ଗଣନା କରାଯିବ । ପରେ ଜାନୁଆରୀ ୧୫ରେ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ଖୋଲିବ । ପର୍ଯ୍ୟଟକଙ୍କ ନିମନ୍ତେ ୧୧ ଦିନ ପାଇଁ ଭିତରକନିକା ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ।
କୁମ୍ଭୀର ବିଶାରଦ ଡା ସୁଧାକର କରଙ୍କ ନେତୃତ୍ୱରେ ବନ କର୍ମଚାରୀ ମାନଙ୍କୁ ନେଇ କୁମ୍ଭୀର ଗଣନା କରାଯିବ । ଦିନ ଓ ରାତ୍ରି ସମୟରେ କୁମ୍ଭୀର ଗଣନା ଅନୁଷ୍ଠିତ ହେବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି । ଭିତରକନିକାରେ ଜାନୁୟାରୀ ୨୦୨୨ରେ ହୋଇଥିବା ଗଣନା ଅନୁସାରେ ୧୭୮୪ ବଉଳା କୁମ୍ଭୀର ଅଛନ୍ତି । ଚଳିତ ବର୍ଷ ଏହି ସଂଖ୍ୟା ବଢ଼ୁଛି ନା କମୁଛି ତାହା ଗଣନା ପରେ ହିଁ ସ୍ପଷ୍ଟ ହେବ ।
ସୂଚନା ଯେ, ବିରଳ ବଉଳା କୁମ୍ଭୀରମାନଙ୍କର ଏନ୍ତୁଡିଶାଳ ଭାବେ ପରିଚିତ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀରମାନଙ୍କୁ ପାଖରୁ ଦେଖିବା ସହ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଇବା ପାଇଁ ପ୍ରତିବର୍ଷ ଦେଶ ଓ ବିଦେଶରୁ ଲକ୍ଷାଧିକ ପର୍ଯ୍ୟଟକଙ୍କ ଭିତର କନିକାକୁ ଛୁଟି ଆସିଥାନ୍ତି।
