ବଢୁଛି କରୋନା ସଂକ୍ରମଣ! ଦିଲ୍ଲୀରେ ଆରମ୍ଭ ହେଲା ୫୫ ଘଣ୍ଟିଆ ଓ୍ୱିକେଣ୍ଟ କର୍ଫ୍ୟୁ
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ହୁ ହୁ ହୋଇ ବଢିଚାଲିଛି ମହାମାରୀ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୧୭ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛି । ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ହାର ୧୭% ରୁ ଅଧିକ ରହିଛି । ଏହି ମାରାତ୍ମକ ଭୂତାଣୁ ପାଇଁ ୯ ଜଣଙ୍କ ଜୀବନ ଯାଇଛି । ତେବେ ଏହି ସଂକ୍ରମଣରେ ବ୍ରେକ ଦେବାକୁ ସରକାର ଲଗାଇଛନ୍ତି କଠୋର କଟକଣା ।
ଭୂତାଣୁକୁ ମାତ୍ ଦେବାକୁ ଆଜିଠୁ ଆରମ୍ଭ ହୋଇଛି ୫୫ ଘଣ୍ଟିଆ ଓ୍ୱିକେଣ୍ଟ କର୍ଫ୍ୟୁ । ଏହି କର୍ଫ୍ୟୁ ଶୁକ୍ରବାର ରାତି ୧୦ ଟାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ରହିବ । ଏହି ସମୟ ମଧ୍ୟରେ ଲୋକଙ୍କୁ ବିନା କାରଣରେ ବାହାରକୁ ଯିବାକୁ ଦିଆଯିବ ନାହିଁ । ଏହା ଅଧୀନରେ ଅନେକ ପ୍ରତିବନ୍ଧକ ଲଗାଯାଇଛି । ଅତ୍ୟାବଶ୍ୟକ କାର୍ଯ୍ୟ ସହିତ ଜଡିତ କିଛି ଲୋକଙ୍କୁ ମଧ୍ୟ ବାହାରକୁ ଯିବାକୁ ଛଡାଯିବ । ସପ୍ତାହାନ୍ତ କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ଯୋଗାଣରେ ଜଡିତ କିଛି ଲୋକଙ୍କୁ ସେମାନଙ୍କର ପରିଚୟ ପତ୍ର ଦେଖାଇବା ପରେ ବାହାରକୁ ଆସିବାକୁ ସରକାର ଅନୁମତି ଦେଇଛନ୍ତି । ତେବେ ଜରୁରୀକାଳୀନ ସେବା ପାଇଁ ଡିଏମ୍ କାର୍ଯ୍ୟାଳୟରୁ ଇ-ପାସ୍ ଯୋଗାଇ ଦିଆଯିବ । ଏପରି ହେଲେ ସେମାନଙ୍କୁ ଘରୁ ବାହାରକୁ ଯିବାକୁ ଅନୁମତି ଦିଆଯିବ ।
