କରୋନା ଭାଇରସ୍ ଆଉ କେବେବି ଯିବନି : ‘ହୁ’
ନୂଆଦିଲ୍ଲୀ : ଗତ ଦୁଇ ବର୍ଷ ଧରି କରୋନା ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି । ଭାରତ ମଧ୍ୟ ଏହି ମହାମାରୀ କବଳରୁ ମୁକ୍ତି ପାଇନାହିଁ । ଯଦିଓ କରୋନା ମାମଲା ଏବେ ସାମାନ୍ୟ ହ୍ରାସ ପାଇଛି ତଥାପି ବିପଦକୁ ଏଡାଇ ଦିଆଯାଇପାରିବ ନାହିଁ । ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) କରୋନାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆଣିଛି । ‘ହୁ’ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡାକ୍ତର ମାଇକେଲ ରିୟାନଙ୍କ ମତରେ କରୋନା ଭାଇରସ୍ ଆଉ କେବେବି ଯିବ ନାହିଁ । ଯେପରି ୨୦୦୯ରେ ସାରା ବିଶ୍ୱରେ ଭୟ ସୃଷ୍ଟି କରିଥିବା ‘ସ୍ୱାଇନ୍ ଫ୍ଲୁ’ ଭାଇରସ୍ ଏବେ ମଧ୍ୟ ତା’ର କାୟା ବିସ୍ତାର ଜାରି ରଖିଛି । ଠିକ୍ ସେହିପରି କରୋନା ମଧ୍ୟ ଆଗାମୀ ଦିନରେ ରହିବ । ସେ କହିଛନ୍ତି, କରୋନା ପାଇଁ ଏବେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ତେଣୁ ଅଧିକ ଟିକାକରଣ ଦ୍ୱାରା ହର୍ଡ ଇମ୍ୟୁନିଟୀ ପାଇପାରିବା ଏବଂ ଏହା ଦ୍ୱାରା ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ କମିବ । ବର୍ତମାନ କୋଭିଡ୍ ମହାମାରୀ ଅନ୍ତର୍ଜାତୀୟ ସମସ୍ୟା ହୋଇ ଛିଡ଼ା ହୋଇଛି ।
ଡାକ୍ତର ମାଇକ୍ ରିୟାନ୍ କହିଛନ୍ତି, ସଂକ୍ରମଣ ସ୍ତର ନିମ୍ନଗାମୀ ହେବା ଓ ଟିକାକରଣର ଅଧିକ ବିତରଣ ଦ୍ୱାରା ଶରୀରରେ ହର୍ଡ ଇମ୍ୟୁନିଟୀ ବଢ଼ିଥାଏ । ଆଉ ଏହା ପରେ ଅଧିକ ଲୋକଙ୍କୁ ଆଉ ହସ୍ପିଟାଲକୁ ଯିବାକୁ ମଧ୍ୟ ପଡ଼ିବ ନାହିଁ । ଏବେ କରୋନା ଅନ୍ତର୍ଜାତୀୟ ସ୍ତରରେ ଜରୁରୀ ପରିସ୍ଥିତି ଭାବେ ଉଭା ହୋଇଛି । ତେଣୁ କରୋନା ଭାଇରସ୍ ଆଉ କେବେବି ଦୂର ହେବ ନାହିଁ ବୋଲି ମାଇକ୍ କହିଛନ୍ତି । ୨୦୧୨ରେ ବୈଜ୍ଞାନିକଙ୍କର ଅନ୍ତର୍ଜାତୀୟ ଗ୍ରୁପର ଏକ ଅଧ୍ୟୟନ ଅନୁସାରେ, ୨୦୦୯ରେ ଉତ୍ପନ ହୋଇଥିବା ସ୍ୱାଇନ୍ ଫ୍ଲୁ’ ମହାମାରୀ ୨,୮୪,୫୦୦ ଲୋକଙ୍କର ଜୀବନ ନେଇଥିଲା । ଯାହା ସେହି ସମୟରେ ଲାବୋରେଟୋରୀ ଦ୍ୱାରା ପରୀକ୍ଷଣର ୧୫ ଗୁଣା ଅଧିକ । ନଭେମ୍ବର ୨୦୦୯ରେ ଏଚ୧ଏନ୧ (ସ୍ୱାଇନ୍ ଫ୍ଲୁ) ଆରମ୍ଭ ହୋଇଥିଲା । ଯାହା ପରେ ୨୦୧୦ ଅଗଷ୍ଟରେ ‘ହୁ’ ଏହାକୁ ମହାମାରୀ ଘୋଷଣା କରିଥିଲା ।
