ଆଜିଠାରୁ ଭୁବନେଶ୍ୱରରେ ଗର୍ଭବତୀଙ୍କୁ କରୋନା ଟିକା
ଭୁବନେଶ୍ୱର : ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ ପାଇଁ ସାରା ବିଶ୍ୱରେ ଟିକାକରଣ ଜାରି ରହିଛି । ରାଜ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଲୋକମାନଙ୍କୁ ଟିକାକରଣ କରାଯାଉଛି । ଏହାରି ମଧ୍ୟରେ ରାଜ୍ୟରେ ଗର୍ଭବତୀ ମହିଳାଙ୍କୁ ଟିକାକରଣ ନିମନ୍ତେ ସରକାର ଗାଇଡଲାଇନ ଜାରି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗତ ୧୭ରୁ ରାଜ୍ୟରେ ଗର୍ଭବତୀଙ୍କୁ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଗର୍ଭବତୀଙ୍କୁ ଟିକାକରଣ କାର୍ଯ୍ୟକ୍ରମ । ଯାହାଫଳରେ ମା ଓ ଶିଶୁ ଉଭୟ ସୁସ୍ଥ ରହିପାରିବେ ।
ପ୍ରଥମ ଦିନରେ ରାଜ୍ୟରେ ୧୨ଶହ ୮୪ ଜଣ ନେଇଥିଲେ ଟିକା । ପ୍ରଥମ ପର୍ୟ୍ୟାୟରେ ରାଜ୍ୟରେ ସାଢ଼େ ୪ଲକ୍ଷ ଗର୍ଭବତୀଙ୍କୁ ଟିକାକରଣ ନେଇ ସରକାର ଲକ୍ଷ୍ୟ ରଖିଛନ୍ତି । ତେଣୁ ଭୁବନେଶ୍ୱର ମହାନଗର ନିଗମ ଅଚଂଳରେ ବିଭିନ୍ନ ଗାଇଡଲାଇନକୁ ଅନୁସରଣ କରି ଆଜି ଏହି ଟିକା ଦେବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏଥିପାଇର୍ ଆଗରୁ କୌଣସି ସ୍ଲଟ୍ ବୁକିଂ କରିବାର ମଧ୍ୟ ଆବଶ୍ୟକତା ନାହିଁ । ସିଧାସଳଖ ଟିକାକରଣ କେନ୍ଦ୍ରରେ ପହଂଚି ଆବଶକୀୟ କାଗଜପତ୍ର (ଆଧାରକାର୍ଡ଼)ସାଥିରେ ନେଇକି ଯିବାକୁ ପଡ଼ିବ । ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ ସମେତ ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଯେଉଁଠାରେ ଟିକାଦାନ କେନ୍ଦ୍ର କରାଯାଇଛି ସେଠାରୁ କୋଭାକ୍ସିନ୍ ଟିକା ନେଇପାରିବେ । ସକାଳ ୧୧ଟାରୁ ଦିନ ଗୋଟାଏ ଯାଏ ଗର୍ଭବତୀଙ୍କୁ ଟିକାକରଣ କରାଯିବ । ଭୁବନେଶ୍ୱରରେ ସପ୍ତାହରେ ଦୁଇ ଦିନ ଗର୍ଭବତୀଙ୍କୁ ଟିକାକରଣ ପାଇଁ ଦିନ ଧାର୍ଯ୍ୟ ହୋଇଛି । ପ୍ରତି ବୁଧବାର ଓ ଶନିବାର ସେମାନେ ସରକାରୀ ଟିକାଦାନ କେନ୍ଦ୍ରରୁ ଟିକା ନେଇପାରିବେ ।
