ପୁଣି ରୂପ ବଦଳାଇଲା କରୋନା : ନୂଆ ଭାରିଆଂଟ ‘ଡେଲଟାକ୍ରନ’ ଚିହ୍ନଟ
ନୂଆଦିଲ୍ଲୀ: ପୁଣି ରୂପ ବଦଳାଇଲା କରୋନା । ଡେଲଟା ପରେ କରୋନାର ନୂଆ ରୂପ ଓମିକ୍ରନକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ । ଓମିକ୍ରନ ଭଳି ସଂକ୍ରାମକ ଭାରିଆଂଟ ସହ ଲଢ଼ିବାକୁ ବିଶ୍ୱ ପ୍ରସ୍ତୁତ ହେଉଥିବା ବେଳେ ଏବେ ପୁଣି ରୂପ ବଦଳାଇ ଅଧିକ ସଂକ୍ରାମକ ଭାରିଆଂଟରେ ପରିଣତ ହୋଇଛି କରୋନା । କିଛି ଦିନ ତଳେ ଓମିକ୍ରନ ପରେ ଫ୍ରାନ୍ସରୁ କରୋନାର ‘ଆଇଏଚୟୁ’ ଭାରିଆଂଟ ଚିହ୍ନଟ ହୋଇଥିବା ବେଳେ ଏବେ ପୁଣି ଏକ ଭାରିଆଂଟ ସାମ୍ନାକୁ ଆସିଛି । ଏହାର ନାଁ ଡେଲଟାକ୍ରନ ଦିଆଯାଇଛି ।
ନୂଆ ଭାରିଆଂଟଟି ସାଇପ୍ରସ ଦେଶରେ ଚିହ୍ନଟ କରାଯାଇଛି । ଡେଲଟାକ୍ରନ ଭାରିଆଂଟର ଡେଲଟା ଓ ଓମିକ୍ରନ ଭାରିଆଂଟ ସହ ସମାନତା ଥିବାରୁ ଏହାର ନାଁ ଡେଲଟାକ୍ରନ ରଖାଯାଇଛି । ତେବେ ବିଶେଷଜ୍ଞଙ୍କ କହିବା କଥା ହେଲା ବର୍ତମାନ ଏହି ନୂଆ ଭାରିଆଂଟକୁ ନେଇ ଚିନ୍ତା କରିବାର କିଛି ଆବଶ୍ୟକତା ନାହିଁ । ଏହା ପୂର୍ବରୁ ଫ୍ରାନ୍ସରୁ କରୋନାର ‘ଆଇଏଚୟୁ’ ଭାରିଆଂଟ ଚିହ୍ନଟ କରାଯାଇଥିଲା । ଭାରିଆଂଟ ‘ଆଇଏଚୟୁ’ ୪୬ଥର ରୂପ ପରିବର୍ତନ କରିଥିଲା । ମୂଳ କୋଭିଡ ଭୂତାଣୁ ଅପେକ୍ଷା ଏହା ଅଧିକ ସଂକ୍ରାମକ ଏବଂ ଟିକା ପ୍ରଭାବକୁ କମ କରିବାରେ ସକ୍ଷମ ବୋଲି କୁହାଯାଇଥିଲା । ଫ୍ରାନ୍ସର ମାର୍ସେଲରୁ ୧୨ଜଣ ଏହି ନୂଆ ଭୂତାଣୁ ‘ଆଇଏଚୟୁ’ ଦ୍ୱାରା ସଂକ୍ରମିତ ହୋଇଥଇଲେ । ସଂକ୍ରମିତ ୧୨ଜଣ ଆଫ୍ରିକୀୟ ଦେଶ କାମେରୁନରୁ ଫେରିଥିଲେ ବୋଲି ଜଣାପଡ଼ିଥିଲା । ତେବେ ଏହି ଦୁଇଟି ଭାରିଆଂଟ ‘ଆଇଏଚୟୁ’ ଏବଂ ଡେଲଟ୍ରାକ୍ରନ କେତେ ମାରାତ୍ମକ ତାହା ସ୍ପଷ୍ଟ ହୋଇନଥିବା ବେଳେ ଓମିକ୍ରନ ଏବେ ଚିନ୍ତାର କାରଣ ପାଲଟିଛି । ଓମିକ୍ରନ ପାଇଁ ଏବେ ଦେଶରେ କରୋନା ମିଟର ଉପରମୁହାଁ ହୋଇଛି ।
