ବିଶ୍ବରେ ବଢ଼ୁଛି କରୋନା ସଂକ୍ରମଣ ; ସତର୍କ କଲା ଡବ୍ଲୁଏଚଓ
FILE PHOTO: World Health Organization (WHO) Director-General Tedros Adhanom Ghebreyesus attends a news conference in Geneva Switzerland July 3, 2020. Fabrice Coffrini/Pool via REUTERS/File Photo
ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ବଢ଼ୁଛି କରୋନା ସଂକ୍ରମଣ। ସଂକ୍ରମଣ ସହ କରୋନା ମୃତ୍ୟୁ ମଧ୍ୟ ବଢ଼ୁଛି। ଗତ ୪ ସପ୍ତାହରେ କରୋନା ମୃତ୍ୟୁ ୩୫ ପ୍ରତିଶତ ବଢ଼ିଛି। ଏଭଳି ସ୍ଥିତିରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମୁଖ୍ୟ ଟେଡ୍ରସ ଆଦନମ ପୁଣି ଥରେ ସତର୍କ କରାଇ ଦେଇଛନ୍ତି।
ଡବ୍ଲୁଏଚଓ ମୁଖ୍ୟ କହିଛନ୍ତି, ଆମେମାନେ ସମସ୍ତେ ଭାଇରସ୍ ଏବଂ ମହାମାରୀକୁ ନେଇ କ୍ଳାନ୍ତ ହୋଇପଡ଼ିଲେଣି। କିନ୍ତୁ ଭାଇରସ୍ ଆଦୌ କ୍ଳାନ୍ତ ହୋଇନାହିଁ। ସରକାରୀ ତଥ୍ୟ ଅନୁଯାୟୀ ଓମିକ୍ରନ୍ ପ୍ରଜାତି ଏକ ପ୍ରଭାବୀ ପ୍ରଜାତି ଏବଂ ବିଏ.୫ ଉପପ୍ରଜାତି ୯୦ ପ୍ରତିଶତରୁ ଅଧିକ ସିକ୍ବେନ୍ସରେ ରହିଛି। ସେହିପରି ପ୍ରାୟ ୧୫ ହଜାର ଲୋକ ଗତ ସପ୍ତାହରେ କରୋନା ଯୋଗୁଁ ସେମାନଙ୍କ ଜୀବନ ହରାଇଛନ୍ତି। ତେବେ ଗୋଟିଏ ସପ୍ତାହରେ ୧୫ ହଜାର ମୃତ୍ୟୁ ଆଦୌ ଗ୍ରହଣୀୟ ନୁହେଁ ବୋଲି ଡବ୍ଲୁଏଚଓ ମୁଖ୍ୟ କହିଛନ୍ତି। ସଂକ୍ରମଣ ରୋକିବାପାଇଁ ଏବଂ ଜୀବନ ବଞ୍ଚାଇବାପାଇଁ ଆମ ପାଖରେ ସବୁ ସୁବିଧା ଥାଇ ମଧ୍ୟ ଏତେ ଜୀବନହାନି ହେବା ଆଦୌ ଗ୍ରହଣୀୟ ନୁହେଁ। ଟିକା ନେଇନଥିବା ଲୋକଙ୍କୁ ତୁରନ୍ତ ଟିକା ନେବାକୁ ପଡ଼ିବ। ଯେଉଁମାନେ ବୁଷ୍ଟର ଡୋଜ୍ ନେବାକୁ ଅପେକ୍ଷା କରିଛନ୍ତି ସେମାନେ ମଧ୍ୟ ତୁରନ୍ତ ଏହା ନେବା ଆବଶ୍ୟକ। ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ଅବଲମ୍ବନ କରିବା ଜରୁରୀ ବୋଲି କହିଛନ୍ତି।
ମହାମାରୀ କରୋନା ଆରମ୍ଭରୁ ଏଯାବତ ବିଶ୍ବରେ ୫୯ କୋଟିରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଆମେରିକାରେ ସର୍ବାଧିକ ୯.୩ କୋଟି ମାମଲା ଚିହ୍ନଟ ହୋଇଥିବା ବେଳେ ଭାରତରେ ପ୍ରାୟ ୪.୪ କୋଟି ମାମଲା ଚିହ୍ନଟ ହୋଇଛି। ଡବ୍ଲୁଏଚଓ ମଧ୍ୟ ବିଶ୍ବବ୍ୟାପୀ ଟିକା ବଣ୍ଟନରେ ଅସମାନତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଡବ୍ଲୁଏଚଓ ଅନୁଯାୟୀ ଅଗଷ୍ଟ ୧୭ ସୁଦ୍ଧା ବିଶ୍ବରେ ମୋଟ୍ ସଂକ୍ରମଣ ମାମଲା ୫୮୯,୬୮୦,୩୬୮ ରହିଛି। ମୋଟ୍ ୬,୪୩୬,୫୧୯ କରୋନା ମୃତ୍ୟୁ ହୋଇଛି। ସେହିପରି ଗତ ସପ୍ତାହରେ ୭,୫୦୦ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ପୂର୍ବ ସପ୍ତାହ ତୁଳନାରେ ମଙ୍କିପକ୍ସ ମାମଲା ୨୦ ପ୍ରତିଶତ ବୃଦ୍ଧି ପାଇଛି। ୯୨ ରାଷ୍ଟ୍ରରୁ ମୋଟ୍ ୩୫ ହଜାରରୁ ଅଧିକ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ୟୁରୋପ ଏବଂ ଆମେରିକାରୁ ସର୍ବାଧିକ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି।
