ବଜେଟ୍ ଅଧିବେଶନ ପୂର୍ବରୁ ସଂସଦରେ କରୋନା ବିସ୍ଫୋରଣ : ୮୭୫ କର୍ମଚାରୀ ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ: କରୋନା କବଳରେ ପାର୍ଲାମେଣ୍ଟ । ସଂସଦର ୮୭୫ ଜଣ କର୍ମଚାରୀ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବଜେଟ ଅଧିବେଶନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବାବେଳେ ଏଭଳି ପରିସ୍ଥିତିକୁ ନେଇ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି ।
ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଆଉ ମାତ୍ର ସପ୍ତାହେ ବାକି ଅଛି । କିନ୍ତୁ ଏହାପୂର୍ବରୁ ସଂସଦ ଭବନ କରୋନା କବଳିତ ହୋଇଛି । ଏପର୍ଯ୍ୟନ୍ତ ସଂସଦର ୮୭୫ କର୍ମଚାରୀ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ସଂସଦର ବଜେଟ୍ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହେଉଛି | ଦେଶରେ କରୋନାର ତୃତୀୟ ଲହର ପ୍ରକୋପ ଜାରି ରହିଛି । ଗତ କିଛି ଦିନ ହେବ ଦୈନିକ ସଂକ୍ରମଣ ଲକ୍ଷ ଉପରେ ରହୁଛି । ରବିବାର ଆଉ ୩ ଲକ୍ଷ ୩୩ ହଜାର ୫୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୨୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଦେଶରେ ଦୈନିକ ପଜିଟିଭିଟି ହାର ବର୍ତ୍ତମାନ ୧୭.୭୮ ପ୍ରତିଶତ ରହିଛି |
