ଗାଡି ପାର୍କଙ୍କୁ ନେଇ ବଚସା : ମହିଳା ହୋମଗାର୍ଡଙ୍କୁ ଛୁରା ମାଡ, ଅଭିଯୁକ୍ତ ଫେରାର
ରାୟଗଡା : ଟ୍ରାଫିକ ପୋଷ୍ଟରେ କାର୍ଯ୍ୟରତ ମହିଳା ହୋମଗାର୍ଡ୍ଙ୍କ ଉପରେ ଆକ୍ରମଣ । ଦୁଇ ଚକିଆ ଗାଡି ପାର୍କଙ୍କୁ ନେଇ ଯୁବକଙ୍କ ସହ ବଚସା । ଶେଷରେ ଯୁବକଙ୍କ ଗାଡିକୁ ଜବତ କରିବା ସହ ଜୋରିମାନା ଆଦାୟ । ପରେ ସନ୍ଧ୍ୟାରେ ଯୁବକ ଜଣକ ଫେରି ମହିଳା ହୋମଗାର୍ଡଙ୍କ ଉପରରେ ଆକ୍ରମଣ କରିଥିଲେ । ଛୁରାମାଡ କରି ଯୁବକ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଗୁରୁତର ମହିଳା ଜଣଙ୍କ ହେଉଛନ୍ତି ରୀନା ବିଡିକା । ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତର ହେବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଥାନାରେ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ଚାନ୍ଦିଲି ପୋଲିସ ।
ସୂଚନା ଯେ, ହୋମଗାର୍ଡ ରୀନା ଜେକେପୁରସ୍ଥିତ ଗୋପବନ୍ଧୁ ଛକରେ ଟ୍ରାଫିକ ଡ୍ୟୁଟିରେ ଥିଲେ । ସେହି ସମୟରେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଯୁବକକୁ ଅଟକାଇବା ପାଇଁ ହୋମଗାର୍ଡ ରୀନା ଉଦ୍ୟମ କରିଥିଲେ। ହେଲେ ଯୁବକ ଜଣକ ସେହି ସମୟରେ ରୀନାଙ୍କୁ ଛୁରା ମାଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହାପରେ ସ୍ଥାନୀୟ ବାସିନ୍ଦା ଓ ଚାନ୍ଦିଲି ପୁଲିସ ରୀନାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟ ପଠାଇ ଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଚ୍ଚ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ତାଙ୍କର ଅବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି। ଏଣେ ଛୁରା ମାରିଥିବା ଯୁବକଙ୍କ କୌଣସି ପତ୍ତା ମିଳିନଥିବେଳେ ପୋଲିସ ତନାଘନା ଜାରି ରଖିଛି ।
