ଗ୍ରାହକଙ୍କୁ ମିଳିବ ଆଶ୍ବସ୍ତି! ଋଷ ଠାରୁ ତେଲ କିଣିବ ଭାରତ
ନୂଆଦିଲ୍ଲୀ : ଗ୍ରାହକଙ୍କୁ ମିଳିବ ଆଶ୍ବସ୍ତି । କମିପାରେ ତେଲ ଦର । କାରଣ ଶସ୍ତା ଦାମରେ ଋଷ ଠାରୁ ଭାରତ କିଣିବ ତେଲ । ଭାରତକୁ ଶସ୍ତା ଦରରେ ଅଶୋଧିତ ତେଲ ବିକ୍ରି କରିବାକୁ ଋଷ ପ୍ରସ୍ତାବ ଦେଇଛି । ଅନ୍ତର୍ଜାତୀୟ ବଜାର ମୂଲ୍ୟ ତୁଳନାରେ ଋଷ ୩୫ ଡଲାର ପ୍ରତି ବ୍ୟାରେଲ ଶସ୍ତାରେ ଅଶୋଧିତ ତେଲ ବିକ୍ରି କରିବାକୁ ପ୍ରସ୍ତାବ ଦେଇଛି । ଋଷର ଏହି ପ୍ରସ୍ତାବ ଉପରେ ମୋଦି ସରକାର ଗମ୍ଭୀର ଭାବେ ବିଚାର କରୁଛନ୍ତି । ଋଷ ଭାରତକୁ ଅଶୋଧିତ ତେଲ ବିକ୍ରି ସମୟରେ ସିପିଂ ଏବଂ ବୀମା ଖର୍ଚ୍ଚର ମଧ୍ୟ ଭାର ସମ୍ଭାଳିବାକୁ ପ୍ରସ୍ତାବ ଦେଇଛି । ଅନ୍ତର୍ଜାତୀୟ ବଜାର ରେଟ୍ ତୁଳନାରେ ଋଷ ଭାରତକୁ ଶସ୍ତା ଦାମ ସହ ୩୫ ଡଲାର ପ୍ରତି ବ୍ୟାରେଲ ଶସ୍ତାରେ ତେଲ ବିକ୍ରି କରିବାକୁ ପ୍ରସ୍ତୁତ ରହିଛି । ଏହାର ବଡ଼ ଫାଇଦା ଭାରତର ଖାଉଟିଙ୍କୁ ମିଳିବ, ଯେଉଁମାନେ ପ୍ରତିଦିନ ବଢୁଥିବା ପେଟ୍ରୋଲ-ଡିଜେଲ ଦର ନେଇ ଚିନ୍ତାରେ ରହିଛନ୍ତି ।
ଏହା ପୂର୍ବରୁ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ କିଛି ଦିନ ତଳେ କହିଥିଲେ କି ଭାରତ ଋଷରୁ ଶସ୍ତା ତେଲ କିଣିବା ଉପରେ ବିଚାର କରୁଛି । ଋଷ ନିକଟରୁ ଶସ୍ତା ତେଲ କିଣିବା ନେଇ ଭାରତକୁ ଜବରଦସ୍ତ ଫାଇଦା ହେବ । ତେବେ ଋଷରୁ ତେଲ କିଣିବା ନେଇ କେନ୍ଦ୍ର ବିଭିନ୍ନ ଦିଗ ନେଇ ବିଚାର କରୁଥିବା ଜଣାପଡ଼ିଛି । ଟଙ୍କା-ରୁବଲ୍ ବ୍ୟବସ୍ଥା ଏକ ବିକଳ୍ପ ମାତ୍ର । ଋଷ ଏବେ ଯାଏ ଭାରତର ସବୁଠାରୁ ଘନିଷ୍ଠ ବନ୍ଧୁଦେଶ ଭାବରେ ରହିଆସିଛି । ଏହା ଯୋଗୁ ଭାରତ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ନେଇ ଜାତିସଂଘରେ ଋଷ ବିରୋଧରେ କୌଣସି ମତଦାନରେ ଭାଗ ନେଇନଥିଲା । ସେପଟେ ଆମେରିକା ମଧ୍ୟ ଋଷ ଠାରୁ ତେଲ କିଣିବା ନେଇ କୌଣସି ଆପତ୍ତି ନଥିବା ଜଣାପଡ଼ିଛି ।
ହ୍ୱାଇଟ୍ ହାଉସ ପ୍ରେସ୍ ସଚିବ ଜେନ୍ ସାକୀ କହିଛନ୍ତି କି ଭାରତ ଋଷ ଠାରୁ ତେଲ କିଣି କୌଣସି ପ୍ରତିବନ୍ଧର ଉଲ୍ଲଂଘନ କରୁନାହିଁ । ଋଷ-ୟୁକ୍ରେନମଧ୍ୟରେ ଜାରି ରହିଥିବା ଯୁଦ୍ଧ ଥମିବାର ଆଶଙ୍କା ରହିଥିବାବେଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ମଧ୍ୟ ହ୍ରାସ ପାଇଛି । ଅଶୋଧିତ ତେଲ ୫ ଡଲାର ହ୍ରାସ ସହ ୧୦୮ ଡଲାର ପ୍ରତି ବ୍ୟାରେଲ ବିକ୍ରି ହେଉଛି ।
