୬୦% ଆଗେଇଛି କେନ୍ଦ୍ରୀୟ ଭିସ୍ତା ଆଭେନ୍ୟୁ ପ୍ରକଳ୍ପ ନିର୍ମାଣ
ନୂଆଦିଲ୍ଲୀ : ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ଲମ୍ବିଥିବା କେନ୍ଦ୍ରୀୟ ଭିସ୍ତା ଆଭେନ୍ୟୁ ପ୍ରକଳ୍ପ ନିର୍ମାଣର ଅଗ୍ରଗତି ସମ୍ପର୍କରେ ଗୃହରେ ତଥ୍ୟ ରଖିଛନ୍ତି ସରକାର । ଡିସେମ୍ବର ୨୦୨୧ ସୁଦ୍ଧା ପ୍ରକଳ୍ପ ପ୍ରାୟ ୬୦% ଶେଷ ହୋଇଥିବା ଗୃହରେ ଉତ୍ତର ରଖିଛନ୍ତି କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ।
ସେଣ୍ଟ୍ରାଲ୍ ଭିସ୍ତା ପ୍ରକଳ୍ପର ପୁନଃବିକାଶ ଅଧୀନରେ ଆସୁଥିବା ନୂତନ ବିକଶିତ ରାଜପଥରେ ୨୦୨୨ ଗଣତନ୍ତ୍ର ଦିବସ ପରେଡ ଆୟୋଜନ କରିବାକୁ ସରକାର ଯୋଜନା କରିଛନ୍ତି । ତେବେ କଂଗ୍ରେସ ସାଂସଦ ମନୀଷ ତିୱାରୀଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଗୃହ ଓ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ଅକ୍ଟୋବର ୨୦୨୨ ସୁଦ୍ଧା ଶେଷ ହେବାକୁ ଥିବା ନୂତନ ସଂସଦ ନିର୍ମାଣ ପ୍ରକଳ୍ପ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୫% ଆଗେଇଛି ।
ଗତ ସେପ୍ଟେମ୍ବର ୧୬ରେ ପ୍ରତିରକ୍ଷା ମନ୍ତ୍ରଣାଳୟର କର୍ମଚାରୀ ଏବଂ ସଶସ୍ତ୍ର ବାହିନୀର ଅଧିକାରୀଙ୍କ ପାଇଁ ଦୁଇଟି କାର୍ଯ୍ୟାଳୟକୁ ଉଦ୍ଘାଟନ କରିବା ସମୟରେ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହାରଦ୍ବୀପ ସିଂ ପୁରୀ କହିଥିଲେ, ଆସନ୍ତା ବର୍ଷ ସଂସଦର ଶୀତକାଳୀନ ଅଧିବେଶନ ନୂତନ ସଂସଦ ଭବନରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇ ସେ କହିଥିଲେ ଯେ ମୁଁ ନିଶ୍ଚିତ କରିବାକୁ ଚାହୁଁଛି ତୁମେ ଯେ ସେଣ୍ଟ୍ରାଲ ଭିସ୍ତା ଆଭେନ୍ୟୁ ପୁନଃନିର୍ମାଣ କାର୍ଯ୍ୟ ଅଢେଇ ମାସ ମଧ୍ୟରେ ଶେଷ ହେବ, ଯେଉଁଠାରେ ଗଣତନ୍ତ୍ର ଦିବସ ପରେଡ ଅନୁଷ୍ଠିତ ହେବ ।
