ଆରମ୍ଭରୁ କଂଗ୍ରେସର ହଟ୍ଟଗୋଳ, ଗୃହ ମୁଲତବି
ଭୁବନେଶ୍ୱର : ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । କରୋନା କଟକଣା ମଧ୍ୟରେ ଏହି ଅଧିବେଶନ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସ୍ୱଳ୍ପ କାଳୀନ ଅଧିବେଶନ ମଧ୍ୟରେ ୮ଟି କାର୍ଯ୍ୟ ଦିବସ ରହିଥିବା ବେଳେ ୧୨ଟି ବିଲ ଆସିବ । ମାତ୍ର ଆରମ୍ଭରୁ ବିଧାନସଭାରେ ତାତି ଦେଖା ଦେଇଛି । ଦିନ ୧୧ଟାରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ବିରୋଧୀଙ୍କ ହୋ ହଲ୍ଲା ପରେ ଗୃହକୁ ମୁଲତବି ରଖାଯାଇଛି । ଗୃହ କାର୍ଯ୍ୟ ଆରମ୍ଭରୁ କଂଗ୍ରେସ ସଦସ୍ୟଙ୍କ ହୋ ହଲ୍ଲା ଓ ଗୃହ ମଧ୍ୟଭାଗରେ ନାରାବାଜି ପାଇଁ ଦିନ ୧୨.୩୪ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି।
ପ୍ରଶ୍ନକାଳ ବାତିଲ କରି ରାଜ୍ୟର ମରୁଡ଼ି ସ୍ଥିତି ନେଇ ଆଲୋଚନା କରିବାକୁ ଦାବି କରିଥିଲା କଂଗ୍ରେସ । ବିଧାୟକ ଦଳ ନେତା ନରସିଂହ ମିଶ୍ର ଲିଖିତ ଭାବେ ଏ ନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯେହେତୁ ମୁଲତବି ପ୍ରସ୍ତାବରେ ସମାନ ପ୍ରସଙ୍ଗ ଆସିଥିଲା ତେଣୁ ଏହାକୁ ବାଚସ୍ପତି ଆଗ୍ରହ୍ୟ କରିଥିଲେ । ତେବେ ଏ ନେଇ କଂଗ୍ରେସ ହଟ୍ଟଗୋଳ କରିବା ପରେ ଏବେ ଗୃହକୁ ମୁଲତବି ରଖାଯାଇଛି। ଦିନ ୧୨.୩୪ ପରେ ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ସୂଚନା ଯେ, ତେବେ ମୌସୁମୀ ଅଧିବେଶନ ପାଇଁ କଡ଼ା ସୁରକ୍ଷା ବଳୟରେ ରହିବ ବିଧାନସଭା। ଏପରିକି ବିଧାନସଭା ଚାରିକଡ଼ ରାସ୍ତାକୁ ନୋ ମ୍ୟାନ୍ସ ଲ୍ୟାଣ୍ଡ ଏରିଆ ଭାବେ ଘୋଷଣା କରାଯାଇଛି। ବିଧାନସଭା ଭିତର, ଧାରଣାସ୍ଥଳ ଓ ଚତୁଃପାର୍ଶ୍ବ ସୁରକ୍ଷା ଦାୟିତ୍ବରେ ୩୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ତା ସାଙ୍ଗକୁ ୧୫୦ ଅଫିସର ନିୟୋଜିତ ରହିବେ।
