ବାଲେଶ୍ୱର : ରବିଧାନ କିଣା ପାଇଁ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ
ବାଲେଶ୍ୱର : ବାଲେଶ୍ୱର ଜିଲାର ପଞ୍ଜୀକୃତ ଚାଷୀଙ୍କ ରବିଧାନ କ୍ରୟରେ ଜିଲା ଯୋଗାଣ ଓ ସମବାୟ ବିଭାଗର ଟାଳଟୁଳ ନୀତିକୁ ନେଇ ମୁହଁ ଖୋଲିଛି ଜିଲା କଂଗ୍ରେସ କମିଟି । ଜିଲାର ସମସ୍ତ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ କିଣା ନ ଗଲେ ଜିଲା କଂଗ୍ରେସ ୧୧ ତାରିଖରୁ ପର୍ଯ୍ୟୟ କ୍ରମେ ଧାନମଣ୍ଡିରେ ଗଣଧାରଣା ଜାରି ରଖିବ ବୋଲି କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି ।
ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି, ଅଖିଳ ଭାରତୀୟ ବୃତ୍ତିଗତ କଂଗ୍ରେସ କମିଟିର ରାଜ୍ୟ ସଭାପତି ତଥା ସଦର ନିର୍ବାଚନମଣ୍ଡଳୀ ନେତ୍ରୀ ମମତା କୁଣ୍ଡୁ, ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, ଜିଲା ମହିଳା କଂଗ୍ରେସ ସଭାପତି ପ୍ରଜ୍ଞାପାରମିତା ମହାନ୍ତି, ଯୁବ କଂଗ୍ରେସ ଜିଲା ସଭାପତି ରଂଜନ କୁମାର ଦାସ, ଛାତ୍ର କଂଗ୍ରେସ ଜିଲା ସଭାପତି ଗୌତମ ସାହୁ, ବରିଷ୍ଠ କଂଗ୍ରେସ ନେତା ଗୋପୀନାଥ ପାଢ଼ୀ, ବିକାଶ ଦାସ, ଜୟକୃଷ୍ଣ ବେହେରା ପ୍ରମୁଖ ଯୋଗଦେଇ ଚଳିତ ରବିଧାନ କିଣା ନେଇ ବାଲେଶ୍ୱର ଜିଲାରେ ଉପୁଜିଥିବା ନାନାବିଧ ସମସ୍ୟା ସମ୍ପର୍କରେ ସୂଚନା ଦେଇଥିଲେ । ସରକାରଙ୍କ ତ୍ରୁଟିପୂର୍ଣ୍ଣ ଧାନକ୍ରୟ ନୀତି ସାଙ୍ଗକୁ ବାଲେଶ୍ୱର ଜିଲା ଯୋଗାଣ ବିଭାଗ, ସମବାୟ ବିଭାଗ ଓ ମିଲର୍ସଙ୍କ ମଧ୍ୟରେ ସମନ୍ୱୟ ଅଭାବର ପରିଣାମ ଜିଲାର ଚାଷୀଙ୍କୁ ଭୋଗିବାକୁ ପଡ଼ିଛି ବୋଲି ଜିଲା କଂଗ୍ରେସ ସଭାପତି ଶ୍ରୀ ଗିରି ଆରୋପ କରିଛନ୍ତି । ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଧାନ କ୍ରୟ ନହେବା ଫଳରେ କିଛି ଚାଷୀଙ୍କର ୧୨ ଦିନିଆ ଟୋକନ ମିଆଦ ଶେଷ ହୋଇଥିବା ବେଳେ ବାକି ଚାଷୀଙ୍କର ଅବଧି ସରିବାକୁ ବସିଛି । ଏଭଳି ସ୍ଥିତିରେ ଜିଲାପାଳ ନିଦାବିଷ୍ଣୁ ପାଲଟିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି କଂଗ୍ରେସ ପକ୍ଷରୁ ଆରୋପ କରାଯାଇଛି । ଚାଷର ଉନ୍ନତି ଓ ଚାଷୀଙ୍କ ବିକାଶକୁ ନେଇ ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଚୁପ ରହିବା କେଉଁ ନ୍ୟାୟର ବୋଲି କଂଗ୍ରେସ କର୍ମକର୍ତ୍ତାମାନେ ପ୍ରଶ୍ନ କରିଥିଲେ । ଅନ୍ନଦାତାଙ୍କ ସ୍ୱାର୍ଥରକ୍ଷା ପାଇଁ ଜିଲା କଂଗ୍ରେସ ପକ୍ଷରୁ ପ୍ରତ୍ୟେକ ଧାନମଣ୍ଡି ଆଗରେ ଗଣ ଧାରଣା ଦେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଆସନ୍ତା ୧୧ ତାରିଖରୁ ଭୋଗରାଇ ବ୍ଲକରୁ ଆରମ୍ଭ ହୋଇ ୨୪ ତାରିଖରେ ସିମୁଳିଆ ବ୍ଲକରେ ଏହି ଧାରଣା ଶେଷ ହେବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି ।

