ରାଜନୈତିକ ସ୍ଥିତିକୁ ନେଇ ଜୁନ ୨୪ରେ ବୈଠକ ଡାକିଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି
ନୂଆଦିଲ୍ଲୀ : କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଜୁନ ୨୪ ତାରିଖରେ ଦଳର ବରିଷ୍ଠ ନେତାଙ୍କୁ ନେଇ ବୈଠକ ଡକାଇଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବାକୁ ଥିବା ଏହି ବୈଠକରେ ବର୍ତ୍ତମାନ ଜାରି ରହିଥିବା ରାଜନୈତିକ ସ୍ଥିତିକୁ ନେଇ ଆଲୋଚନା ହେବ । କଂଗ୍ରେସ ମହାସଚିବ, ସମସ୍ତ ରାଜ୍ୟ ପ୍ରଭାରୀ, ରାଜ୍ୟ ପିସିସି ଅଧ୍ୟକ୍ଷମାନଙ୍କୁ ଏହି ବୈଠକରେ ଉପସ୍ଥିତ ରହିବା ପାଇଁ ନିର୍ଦେଶ ଦିଆଯାଇଛି । କଂଗ୍ରେସରେ ଜାରି ରହିଥିବା ଅନ୍ତଃକନ୍ଦଳ ବାବଦରେ ମଧ୍ୟ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି । ଏହା ସହିତ ଦେଶରେ ଦରଦାମ ବୃଦ୍ଧି ଏବଂ ସାଧାରଣ ଲୋକଙ୍କ ଜୀବନ ଜୀବିକାକୁ ନେଇ କଂଗ୍ରେସ ରାସ୍ତାକୁ ଓଲ୍ଲାଇପାରେ । ଦରଦାମ ବିରୁଦ୍ଧରେ ସରକାରଙ୍କୁ ଘେରିବା ବୈଠକର ମୂଳ ମୁଦ୍ଦା ହୋଇପାରେ ବୋଲି ଅନୁମାନ କରାଯାଉଛି ।
କେନ୍ଦ୍ରର ମୋଦି ସରକାରଙ୍କୁ ଘେରିବା ପାଇଁ ବୈଠକରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଏବଂ ମହଙ୍ଗା ମାଡ ବିରୁଦ୍ଧରେ ଆନ୍ଦୋଳନ ପାଇଁ ରଣନୀତି ପ୍ରସ୍ତୁତ କରିବ କଂଗ୍ରେସ । କିଛି ଦିନ ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିକୁ ନେଇ ଦେଶବ୍ୟାପୀ ପ୍ରଦର୍ଶନ କରିଥିଲା କଂଗ୍ରେସ । କିନ୍ତୁ ବର୍ତ୍ତମାନ ମଧ୍ୟ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ଭାବେ ବୃଦ୍ଧିପାଇବାରେ ଲାଗିଛି । ଅନେକ ରାଜ୍ୟରେ ପେଟ୍ରୋଲ ଦର ୧୦୦ ଟଙ୍କା ପାର କରିଛି । ଏଥିପାଇଁ ପୁଣିଥରେ କଂଗ୍ରେସ ରାଜରାସ୍ତାକୁ ଓଲ୍ଲାଇବାକୁ ଯୋଜନା କରୁଛି । କରୋନା ସଂକ୍ରମଣ ସମ୍ପର୍କରେ କଂଗ୍ରେସ ଦ୍ୱାରା ଆରମ୍ଭ ହୋଇଥିବା ସର୍ଭେ ଉପରେ ମଧ୍ୟ ଆଲୋଚନା କରାଯିବ। ଏହା ବ୍ୟତୀତ ଆଗାମୀ ବିଧାନସଭା ନିର୍ବାଚନ ପରି ପ୍ରସଙ୍ଗ ସମେତ ଅନ୍ୟାନ୍ୟ ସାମ୍ପ୍ରତିକ ପ୍ରସଙ୍ଗ ତଥା ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରାଯିବ । କଂଗ୍ରେସର ଏହି ବୈଠକ ଏପରି ଏକ ସମୟରେ ଅନୁଷ୍ଠିତ ହେବାକୁ ଯାଉଛି ଯେତେବେଳେ ଅନେକ ବରିଷ୍ଠ ନେତା ବିଦ୍ରୋହୀ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହା ବ୍ୟତୀତ ରାଜସ୍ଥାନ ଏବଂ ପଞ୍ଜାବ ଭଳି ରାଜ୍ୟରେ ଦଳୀୟ କନ୍ଦଳ ବୃଦ୍ଧି ପାଇଛି। ପଞ୍ଜାବରେ କ୍ୟାପଟେନ ଅମରିନ୍ଦର ସିଂ ଏବଂ ନବଜୋତ ସିଂ ସିଦ୍ଧୁ ଖୋଲାଖୋଲି ଭାବେ ପରସ୍ପର ବିରୋଧରେ ବିଷ ଓଗାଳୁଛନ୍ତି । ଏ ତମାମ ପ୍ରସଙ୍ଗରେ ଦଳୀୟ ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।
