କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ! ଆଜି ନାମାଙ୍କନ ଭରିବେ ଦିଗବିଜୟ ସିଂ
ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ ପ୍ରାର୍ଥୀତ୍ବ ଅଙ୍କ କିନ୍ତୁ ଛିଡୁନାହିଁ । ରାଜସ୍ଥାନ ସଙ୍କଟ ମଧ୍ୟରେ ପ୍ରାର୍ଥୀତ୍ବ ରେସରେ ସବୁଠୁ ଆଗରେ ଥିବା ଅଶୋକ ଗେହେଲଟ ଓହରିଯିବା ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଅଧ୍ୟକ୍ଷ ପଦ ନିର୍ବାଚନ ଲଢିବା ଚର୍ଚ୍ଚାରେ ଯୋଡି ହୋଇଛି ଅନ୍ୟ ଜଣେ ବରିଷ୍ଠ ନେତାଙ୍କ ନାମ । ଦଳଳ ବରିଷ୍ଠ ନେତା ତଥା ମଧ୍ୟ ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ପାର୍ଟି ହାଇକମାଣ୍ଡ ପାଇଁ ନିର୍ବାଚନ ଲଢିପାରନ୍ତି । ସେ ଆଜି ନାମାଙ୍କନ ଭରିବା ନେଇ ମଧ୍ୟ ଅନୁମାନ କରାଯାଉଛି ।
ଦିଲ୍ଲୀ ଗସ୍ତରେ ଥିବା ଦିଗବିଜୟ ନିଜ ପ୍ରାର୍ଥୀତ୍ବ ସମ୍ପର୍କରେ ସୂଚନା ଦେଇ କହିଛନ୍ତି,‘‘ମୁଁ ନିର୍ବାଚନ ସମ୍ପର୍କରେ ଗାନ୍ଧୀ ପରିବାର ସହ କୌଣସି ଆଲୋଚନା କରିନାହିଁ । ବର୍ତ୍ତମାନ ଦିଲ୍ଲୀ ଆସିବାର କୌଣସି ଆବଶ୍ୟକତା ନଥିଲା, କିନ୍ତୁ ଦଳୀୟ ନିର୍ବାଚନ ପାଇଁ ସେ ଦିଲ୍ଲୀ ଆସିଛି ।’’ ଗତକାଲି (ବୁଧବାର) ରାତିରେ ଦିଲ୍ଲୀରେ ପହଞ୍ଚିଥିବା ଦିଗବିଜୟ ଆଜି (ଗୁରୁବାର) ପାର୍ଟି ମୁଖ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିବା ନେଇ ଚର୍ଚ୍ଚା ହେଉଛି । ଅନ୍ୟପଟେ ପ୍ରଥମରୁ ଚର୍ଚ୍ଚାରେ ଥିବା ଦଳର ଅନ୍ୟତମ ବରିଷ୍ଠ ନେତା ତଥା ଜି-୨୩ ଗୋଷ୍ଠୀର ନେତା ଶଶୀ ଥରୁରଙ୍କ ନିର୍ବାଚନ ଲଢିବା ମଧ୍ୟ ଏପ୍ରକାର ସ୍ଥିର ରହିଛି । ସେ ମଧ୍ୟ ଆସନ୍ତାକାଲି (ଶୁକ୍ରବାର) ନାମାଙ୍କନ ଦାଖଲ କରିପାରନ୍ତି । ଅନ୍ୟଜଣେ ବରିଷ୍ଠ ନେତା ତଥା ପୂର୍ବତନ ରେଳମନ୍ତ୍ରୀ ପଓ୍ବନ ବଂଶଲ ମଧ୍ୟ ନାମାଙ୍କନ ପତ୍ର ନେଇଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି ।
ତେବେ ବର୍ତ୍ତମାନ ସ୍ଥିତିରେ ଏହା କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି ଯେ, ଗାନ୍ଧୀ ପରିବାରରୁ ନିର୍ବାଚନରେ କେହି ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ । ପ୍ରାରମ୍ଭରୁ ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ ଦାୟିତ୍ବ ମିଳିବା ସପକ୍ଷରେ ମତ ବାଢିଥିଲେ ମଲ୍ଲିକାର୍ଜୁନ ଖାଡଗେଙ୍କ ସମେତ ଅନ୍ୟ କିଛି ବରିଷ୍ଠ ନେତା । କିନ୍ତୁ ଦଳୀୟ ନିର୍ବାଚନ ପରିବର୍ତ୍ତେ ରାହୁଲ ଏବେ ଦଳ ଦ୍ବାରା ଜାରି ରହିଥିବା ଭାରତ ଯୋଡୋ ଯାତ୍ରାରେ ବେଶ ସକ୍ରିୟ ଅଛନ୍ତି । ତେଣୁ ସେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଅନାଗ୍ରହ ପ୍ରକାଶ କରିଥିଲେ । ଏହି କ୍ରମଃବିକାଶ ସହ ଦୀର୍ଘ ବର୍ଷ ପରେ ଦଳର ସର୍ବୋଚ୍ଚ କମାଣ୍ଡ ଗାନ୍ଧୀ ପରିବାର ବାହାରକୁ ଯିବା ପରି ଲକ୍ଷ୍ୟ କରାଯାଉଛି ।
ତେବେ କଂଗ୍ରେସରେ ଦେଖାଯାଇଥବା ଦଳୀୟ କନ୍ଦଳ ଅଧ୍ୟକ୍ଷ ନିର୍ବାଚନକୁ ପ୍ରଭାବିତ କରିବା ପରି ସ୍ଥିତି ସୃଷ୍ଟି କଲାଣି । ଏହାରି ମଧ୍ୟରେ ଦଳୀୟ ହାଇକମାଣ୍ଡ ନିର୍ବାଚନ ଆଦୌ ପ୍ରଭାବିତ କିମ୍ବା ବିଳମ୍ବ ହେବ ନାହିଁ । ଦଳର ଜାତୀୟ କାର୍ଯ୍ୟକାରିଣୀରେ ନିର୍ଦ୍ଧାରିତ ସମୟ ଅନୁସାରେ ସମସ୍ତ ପ୍ରକ୍ରିୟା ଶେଷ ହେବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ଦଳର ନିର୍ବାଚନ ପ୍ରାଧିକରଣ ଅଧ୍ୟକ୍ଷ ମଧୁସୁଧନ ମିସ୍ତ୍ରୀ । ନିର୍ବାଚନ ପରିଚାଳନା ପାଇଁ ପ୍ରାଧିକରଣ ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଦେଶ କଂଗ୍ରେସ ସଦସ୍ୟ ଓ୍ବାରୀ ମୋଟ ୯ ହଜାର ଭୋଟରଙ୍କ ତାଲିକା ମଧ୍ୟ ପ୍ରସ୍ତୁତ ହୋଇସାରିଛି । ଆସନ୍ତାକାଲି (୩୦ ତାରିଖ) ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଥିବାରୁ ପ୍ରାର୍ଥୀତ୍ବ ଅଙ୍କ ସ୍ପଷ୍ଟ ହେବ । ଅକ୍ଟୋବର ୧୯ରେ ଦଳକୁ ନୂଆ ଅଧ୍ୟକ୍ଷ ମିଳିବେ ।
