ପରିଖିରେ କଂଗ୍ରେସର ବନ୍ଧୁ ମିଳନ ଓ କର୍ମୀ ସମାବେଶ ଅନୁଷ୍ଠିତ
ଶାସକ ଦଳର ପ୍ରତିଶୃତିରେ ଲୋକେ ବିଶ୍ୱାସ ନ କରନ୍ତୁ : ଚେଲ୍ଲା କୁମାର
ହେନ୍ତାଳ ବଣକୁ ମଧ୍ୟ ରକ୍ଷା କରିବା ନିତାନ୍ତ ଆବଶ୍ୟକ : ନବଜ୍ୟୋତି ପଟ୍ଟନାୟକ
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ପରଖୀ ପଞ୍ଚାୟତର କାଳୀମନ୍ଦିର ପଡ଼ିଆରେ କଂଗ୍ରେସ ଦଳର ଏକ ବନ୍ଧୁ ମିଳନ ଓ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଜିଲା କଂଗ୍ରେସ କମିଟିର ସଭାପତି ସଞ୍ଜୀବ ଗିରିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାବେଶରେ ମୁଖ୍ୟଅତିଥି ଭାବେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ତଥା ଏମ୍ପି ଡ. ଚେଲ୍ଲା କୁମାର ଯୋଗଦେଇ ପରଖିକୁ ଏକ ଭିନ୍ନ ମାଟି ବୋଲି କହିଥିଲେ । ଏଠାକାର ଭାଇଚାରା ଉଦାହରଣ ସୃଷ୍ଟି କରିଛି ବୋଲି କହିଥିଲେ । ପରିଖି ଆସିବା ପୂର୍ବରୁ ସେ ବାଲିଆପାଳ ବ୍ଲକର ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ଅଞ୍ଚଳ ପରିଦର୍ଶନ କରିବା ସହ ଲୋକଙ୍କ ସହ ଆଲୋଚନା କରିଥିଲେ । ପାନ, ମୀନ ଓ ଧାନର ଏହି ବିସ୍ତୀର୍ଣ୍ଣ ଉର୍ବର ଅଞ୍ଚଳକୁ କିଛି ଶିଳ୍ପପତିଙ୍କ ହାତରେ କେନ୍ଦ୍ରର ମୋଦୀ ସରକାର ଓ ଓଡ଼ିଶାରେ ନବୀନ ସରକାର ମିଳିମିଶି ଟେକିଦେବା ପାଇଁ ଷଡ଼ଯନ୍ତ୍ର କରୁଥିବା ଦର୍ଶାଇଥିଲେ । କଂଗ୍ରେସ ଦଳ ବିକାଶ ଓ ଉନ୍ନୟନ କାର୍ଯ୍ୟକୁ କସ୍ମିନକାଳେ ବିରୋଧ କରେନାହିଁ । ତେବେ ଲୋକଙ୍କ ପେଟପାଟଣା ଓ ଜୀବନଜୀବିକା ଉପରେ ପ୍ରଭାବ ପଡ଼ିଲେ କଂଗ୍ରେସ ଦଳ ଲୋକଙ୍କ ପାଇଁ ଆଗକୁ ବାହାରିବ । ବିକାଶ ନାଁରେ ଏକ ବିସ୍ତୀର୍ଣ୍ଣ ଉର୍ବର ଅଞ୍ଚଳକୁ ନଷ୍ଟ କରିବା ସହ ଏଠାକାର ଜଳ ଓ ବାୟୂକୁ ପ୍ରଦୂଷଣ କରିବାକୁ ଦିଆଯିବ ନାହିଁ ବୋଲି କହିଥିଲେ ।
ଅଖିଳ ଭାରତୀୟ କଂଗ୍ରେସ କମିଟିର ସମ୍ପାଦକ ରୁଦ୍ର ରାଜୁଙ୍କ ଉପସ୍ଥିତିରେ କଂଗ୍ରେସ ନେତା ତଥା ବାଲେଶ୍ୱର ଏମ୍ପି ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ପରଖି ମାଟିର ଭୂୟସୀ ପ୍ରଶଂସା କରିଥିଲେ । ଏଠି ପ୍ରାକୃତିକ ଶୋଭା ପରିପୂର୍ଣ୍ଣ କିନ୍ତୁ ସରକାର ଏ ଅଞ୍ଚଳର ବିକାଶ କଥା ଭୁଲି ଯାଇଛନ୍ତି । ଏଠାକାର ଲୁଣା ବନ୍ଧକୁ ରକ୍ଷା ନ କଲେ ଏ ଅଞ୍ଚଳକୁ ରକ୍ଷା କରାଯାଇ ପାରିବ ନାହିଁ କହିଥିଲେ । ଆହୁରି ମଧ୍ୟ ଏ ଅଞ୍ଚଳର ହେନ୍ତାଳ ବଣକୁ ମଧ୍ୟ ରକ୍ଷା କରିବା ନିତାନ୍ତ ଆବଶ୍ୟକ ବୋଲି କହିଥିଲେ । ପିସିସି ମୁଖପାତ୍ର ସୁଦର୍ଶନ ଦାସ, ବାଲେଶ୍ୱର ପ୍ରଭାରୀ ତଥା ପିସିସି ସାଧାରଣ ସମ୍ପାଦକ ଅଶୋକ ଦାସ, ପିସିସି ସମ୍ପାଦକ ମନୋଜ ବିଶ୍ୱାଳ, ସଦର ନିର୍ବାଚନ ମଣ୍ଡଳୀ ନେତ୍ରୀ ତଥା ପ୍ରଫେସନାଲ କଂଗ୍ରେସ ଓଡ଼ିଶା ସଭାନେତ୍ରୀ ମମତା କୁଣ୍ଡୁ, ପିସିସି ସମ୍ପାଦକ ଅର୍ଚ୍ଚନା ନନ୍ଦି, ଜିଲା ମହିଳା କଂଗ୍ରେସ ସଭାପତି ପ୍ରଜ୍ଞାପାରମିତା ମହାନ୍ତି, ସଦର ବ୍ଲକ କଂଗ୍ରେସ ସଭାପତି ଜୟକୃଷ୍ଣ ବେହେରା, ଜିଲା ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ଜିଲା କଂଗ୍ରେସ ଉପସଭାପତି ସେଖ୍ କମାଲୁଦ୍ଦିନ ଓ ଜିଲା ଉପସଭାପତି ଗୋପିନାଥ ପାଢ଼ୀ, ଏଆଇଡବ୍ଲୁସିର ସଭାପତି ବିକାଶ ଦାସଙ୍କ ସମେତ ଜିଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଦେବଦତ୍ତ ଦାସ, ସ୍ମାରକ ଦାସ, ପରିଖି ପଞ୍ଚାୟତ ସରପଞ୍ଚ କବିତା ପାତ୍ର, ସଦର ବ୍ଲକ ଉପାଧ୍ୟକ୍ଷ ସୁପ୍ରୀତି ଗିରି, ରେମୁଣା ବ୍ଲକ କଂଗ୍ରେସ ସଭାପତି ତରୁଣ ଦାସ, ବାସନ୍ତୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଉକ୍ତ ଅଞ୍ଚଳର ତିନି ଜଣ ପ୍ରତିଭାଧର ବ୍ୟକ୍ତି ବନବିହାରୀ ଡିଙ୍ଗାଳ, ଆଶୁତୋଷ ଜେନା ଓ ପ୍ରବୀର କୁମାର ମାଇତିଙ୍କୁ ଡ. ଚେଲ୍ଲା କୁମାର ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ସମାବେଶରେ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । ଶେଷରେ ଜିଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


