ଆକାଶରେ ସାହସିକତା ପ୍ରଦର୍ଶନ ପରେ ଟିମକୁ ସମ୍ବର୍ଦ୍ଧନା
ଭୁବନେଶ୍ବର : ଆଜାଦି କା ଅମୃତ ମହୋତ୍ସବ ଅବସରରେ ରାଜଧାନୀ ଭୁବନେଶ୍ବରର କୁଆଖାଇ ନଦୀପଠାରେ ଆୟୋଜିତ ହୋଇଯାଇଛି ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ ଟିମର ଏୟାର ସୋ’ । ବାୟୁବୀରମାନେ ଆକାଶ ମାର୍ଗରେ ଉଡ଼ାଇଛନ୍ତି ୯ଟି ହକ୍ ବିମାନ । ୨୫ ମିନିଟର ଲାଇଭ ସୋ’ ଦେଖି ରାଜଧାନୀବାସୀ ଉତ୍ସାହିତ ହୋଇପଡ଼ିଥିବାବେଳେ, ଟିମକୁ ସମ୍ବର୍ଦ୍ଧିତ କରାଯାଇଛି । ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ମୁଖ୍ୟ ଏୟାର ମାର୍ଶଲ ଦିଲ୍ଲୀପ କୁମାର ପଟ୍ଟନାୟକ ଟିମକୁ ସମ୍ବର୍ଦ୍ଧିତ କରିଛନ୍ତି ।
ଏୟାର ମାର୍ଶଲ ଦିଲ୍ଲୀପ ୯ଟି ହକ ବିମାନରେ ଥିବା ଟିମକୁ ସ୍ବାଗତ କରିବା ସହ ସମସ୍ତ ସାହସୀ ବୀରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ସୋ’ ଆଜାଦି କା ଅମୃତ ମହୋତ୍ସବକୁ ନେଇ କରାଯାଉଥିବାବେଳେ ଦ୍ବିତୀୟରେ ଓଡିଶାରେ ଯୁବ ପିଢିଙ୍କୁ ଏଭଳି ଲାଇନକୁ ଆସିବାକୁ ପ୍ରେରଣା ଯୋଗାଇବା ଉଦ୍ଦେଶ୍ୟ ରହିଥିଲା । ଯାହାକି ନିଶ୍ଚିତ ଭାବେ ଫଳପ୍ରଦ ହୋଇଥିବା ଆଶା କରାଯାଉଛି । ସୋ’କୁ ଦେଖିବା ଲାଗି କୁଆଖାଇ ବାଲିଯାତ୍ରା ପଡ଼ିଆରେ ପ୍ରାୟ ୫୦ ହଜାର ଲୋକଙ୍କ ଭିଡ଼ ଜମିଥିଲା ।
