ଓଡ଼ିଶା କୋଷ୍ଟ କେନାଲ ପୁନଃରୁଦ୍ଧାର ମଞ୍ଚ ଅଭିଯାତ୍ରୀ ଦଳଙ୍କୁ ସମ୍ବର୍ଦ୍ଧନା
ବାଲେଶ୍ୱର : ବାଲେଶ୍ୱର ସହରରେ ଓଡ଼ିଶା କୋଷ୍ଟ କେନାଲ ପୁନଃରୁଦ୍ଧାର ମଞ୍ଚର ଅଭିଯାତ୍ରୀ ଦଳ । କୋଷ୍ଟ କେନାଲ ପୁନଃରୁଦ୍ଧାର ଦାବି ନେଇ ମଞ୍ଚ ତରଫରୁ ମାନକୁଣ୍ଡାରୁ ଚାରବାଟିଆ ପର୍ଯ୍ୟନ୍ତ ୧୧ ଦିନ ବ୍ୟାପୀ ଚାଲିବାକୁ ଥିବା ସାଇକେଲ ଯାତ୍ରାର ପଞ୍ଚମ ଦିନରେ ଅଭିଯାତ୍ରୀ ଦଳମାନେ ବୁଧବାର ବାଲେଶ୍ୱର ସହରରେ ପହଞ୍ଚିଛନ୍ତି । ଏହି ପରିପ୍ରେକ୍ଷୀରେ ଆଇଟିଆଇ ଛକ ସ୍ଥିତ ଓଡ଼େଶା ଭବନ ସମ୍ମିଳନୀ କକ୍ଷରେ ଇଂ ହୃଷିକେଶ ସାହୁଙ୍କ ଅଧ୍ୟକ୍ଷତାରେ ନାଗରିକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ ହୋଇଥିଲା । ୩୫ରୁ ଉର୍ଦ୍ଧ୍ୱ ସ୍ଥାନୀୟ ସାଇକେଲ ଯାତ୍ରୀଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରାଯାଇଥିଲା ।
ସଭା ଆରମ୍ଭରେ ମଞ୍ଚର ଆବାହକ ଗୋବିନ୍ଦ ବଲ୍ଲଭ ଦଳାଇ ସ୍ୱାଗତ ଅଭିଭାଷଣ ଦେବା ସହ କୋଷ୍ଟ କେନାଲକୁ ନେଇ ଆହୁରି ବ୍ୟାପକ ପ୍ରସ୍ତୁତି ହେବା ଆବଶ୍ୟକ ବୋଲି ଗୁରୁତ୍ୱ ଆରୋପ କରିଥିଲେ । କୋଷ୍ଟ କେନାଲ ଆନ୍ଦୋଳନରେ ଏକ ଐତିହାସକ ସୂଯୋଗ ଆସିଥିବା କଥା କହିଥିଲେ । ତୃଣମୂଳସ୍ତରରେ ସାଧାରଣ ଲୋକଙ୍କୁ ଏହି ଆନ୍ଦୋଳନ ସହିତ ଯୋଡ଼ିବାର ଆବଶ୍ୟକତା ରହିଥିବା ସହ ଆଗାମୀ ଦିନରେ ବାଲେଶ୍ୱରରୁ ଦିଲ୍ଲୀ ଅଭିମୁଖେ ସାଇକେଲ ଯାତ୍ରା ଆରମ୍ଭ କରାଯିବା ଲକ୍ଷ୍ୟ ରହିଛି ବୋଲି କହିଥିଲେ । ବରିଷ୍ଠ ଆଇନଜୀବୀ ଶମ୍ଭୁନାଥ ମହାନ୍ତି ଯୋଗଦେଇ ଦଳମତ ନିର୍ବିଶେଷରେ କୋଷ୍ଟ କେନାଲ ପାଇଁ ଯଦି ସମସ୍ତେ ଆଗୋଭର ହେବେ ତେବେ କୋଷ୍ଟ କେନାଲ ପୁନଃରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରନ୍ତା । ସ୍ଥାନୀୟ ସ୍ୱେଚ୍ଛାସେବୀମାନଙ୍କର କର୍ତ୍ତବ୍ୟ ନିଷ୍ଠା ରହିଲେ ଏ ଅଞ୍ଚଳର ବହୁ ପ୍ରତିଷ୍ଠିତ କୋଷ୍ଟ କେନାଲ ସ୍ୱପ୍ନରୁ ବାସ୍ତବ ରୂପ ନେଇପାରନ୍ତା । ଆବଶ୍ୟକ ପଡ଼ିଲେ ପ୍ରତିକାତ୍ମକ ଭାବେ ଜନସାଧାରଣ କୋଦାଳ, କୋଡ଼ି ଧରି କୋଷ୍ଟ କେନାଲକୁ ଖୋଳିବା ଆରମ୍ଭ କଲେ ସରକାର ଏହାର ପୁନଃରୁଦ୍ଧାର ପାଇଁ ବାଧ୍ୟ ହେବେ । ଇଂ. ବିଜୟ ସେଠୀ ଯୋଗଦେଇ କୋଷ୍ଟ କେନାଲ ବିଷୟରେ ସବିଶେଷ ଆଲୋଚନା କରିଥିଲେ । ଜଳସେଚନ ବିଭାଗରେ କାର୍ଯ୍ୟ କରୁଥିବା ସମୟରେ ସେ ବିଭିନ୍ନ ବିଭାଗରୁ ଗଭୀର ତଥ୍ୟକୁ ଅନୁଧ୍ୟାନ କରି ସବିଶେଷ ଉପଯୋଗୀତା ବିଷୟରେ ଆମେମାନେ ସରକାରୀ ତଥା ରାଜନୈତିକ ସ୍ତରରେ କର୍ତ୍ତୁପକ୍ଷଙ୍କ ଦୃଷ୍ଟ ଆକର୍ଷଣ କରିପାରିଲେ କୋଷ୍ଟ କେନାଲ ପୁନଃରୁଦ୍ଧାର ସମ୍ଭବ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଭାସ୍କର ଚନ୍ଦ୍ର ଜେନା ଯୋଗଦେଇ ଏଭଳି ଆନ୍ଦୋଳନ ପାଇଁ କିଛି ଶୃଙ୍ଖଳିତ ନୀତିନିଷ୍ଠ ବ୍ୟକ୍ତି ଯଦି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିବେ ତେବେ ଏହି ଆନ୍ଦୋଳନ ଆହୁରି ବଳ ପାଇପାରିବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ସହାୟକ ସଂଗଠନର ସଚ୍ଚିନ୍ଦ୍ର ଦାସ, ମଞ୍ଚର ସଦସ୍ୟ ଅସିତ ଦଳାଇ, ଅରୂପ ପାତ୍ର, ସୁବାସ ଖୁଣ୍ଟିଆ, ପ୍ରବୀନ ଦଳାଇ, ରଘୁନାଥ ସାହୁ, ଅବନୀ ନାଥ, ଲକ୍ଷ୍ମୀନାରାୟଣ ଜେନା, ସୁବାଶ ଚନ୍ଦ୍ର ସି, ଅମର ବେହେରା, ବିଶ୍ୱଜିତ୍ ଜେନା ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ବିଜୟ ଦାସଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଯେ, ଗତ ଜାନୁଆରୀ ୨୧ ରୁ ମାନକୁଣ୍ଡାରୁ ବାହାରିଥିବା ସାଇକେଲ ରାଲିର ଅଭିଯାତ୍ରୀ ଦଳମାନେ ଗୁରୁବାର ଭଦ୍ରକର ଚାରବାଟିଆ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ବୋଲି ମଞ୍ଚ ପକ୍ଷରୁ ଜଣାପଡ଼ିଛି ।
